ଭୁବନେଶ୍ୱର : ଲଗାତର ତିନ ଦିନ ହେଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର ପାଲଟିଛି। ରାଜ୍ୟରେ ମୁଣ୍ଡଫଟା ଖରା । ମାଘ ସରିନି । ବସନ୍ତ ଆସିନି । ଏବେ ଠାରୁ ଅସମ୍ଭାଳ ତାତି । ସକାଳ ୧୧ଟା ପରେ ପଦାକୁ ବାହାରିଲେ ଛାଇଁ ଝାଇଁ ହୋଇଯାଉଛି ମୁଣ୍ଡ । ଏବେ ଠାରୁ ଏମିତି କୋପ ଦେଖାଇଲାଣି ତାତି । ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ଡେଇଁଥିବା ବେଳେ ମୋଟ ୧୪ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଉପରେ ରହିଛି ।କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଅନୁମାନ କରିଛନ୍ତି, ମାର୍ଚ୍ଚ ପହିଲାରୁ ଭୁବନେଶ୍ୱରରେ ଗରମ ପ୍ରକୋପ ସାମାନ୍ୟ କମିବ । ହେଲେ ଆସନ୍ତା ୨୮ ତାରିଖରେ ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ । ୩ ଦିନ ହେବ ଭୁବନେଶ୍ୱର ଯେମିତି ତତଲା ପିଣ୍ଡ ପାଲଟିଯାଇଛି । ଆଜି ଭୁବନେଶ୍ୱର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି, ଯାହାକି ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ । ଗତ ୪ ବର୍ଷ ଭିତରେ କେବେ ବି ରାଜଧାନୀ ତାପମାତ୍ରା ଫେବ୍ରୁଆରୀ ମାସରେ ୪୦ ଡିଗ୍ରୀ ଛୁଇଁନଥିଲା । ଡକ୍ଟର ପଶୁପାଳକଙ୍କ କହିବାନୁଯାୟୀ ମାର୍ଚ୍ଚ ୧ରେ ବାୟୁର ଦିଗ ବଦଳିବ । ଉତ୍ତର-ପଶ୍ଚିମା ପବନ ବଦଳରେ ବଙ୍ଗୋପସାଗର ପଟୁ ପବନ ବହିବ। ଉତ୍ତର ବଙ୍ଗୋପସାଗରରେ ଗୁରୁଚାପ ବଳୟ ହେତୁ ଖରା ଅଧିକ ରହିଲେ ମଧ୍ୟ ପ୍ରଖରତା କମ୍ ରହିବ। ବାୟୁର ଆର୍ଦ୍ରତା ଅଧିକା ରହିବା ଯୋଗୁ ପାରଦ ୨ ଡିଗ୍ରୀ କମିପାରେ। ସାରା ଉପକୂଳରେ ୫ ତାରିଖ ଯାଏଁ ଏଭଳି ପାଗ ରହିବ । ପୁଣି ୬ରୁ ତାପମାତ୍ରା ବଢ଼ିବ।