ଭୁବନେଶ୍ୱର: ରାଜଧାନୀରେ ଅସହ୍ୟ ତାତି । ମାର୍ଚ୍ଚ ମାସ ଆରମ୍ଭ ହୋଇନି ୩୯ ଡିଗ୍ରୀ ଛୁଇଁଲାଣି ତାପମାତ୍ରା, ସାଧାରଣ ଲୋକେ ଅସ୍ତବ୍ୟସ୍ତ। ଏବେ ରାଜ୍ୟରେ ପାରଦ ୩୯ ପାର ହେଲାଣି। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଲଗାତାର ୪ ଦିନ ଧରି ରେକର୍ଡ କରି ଆସୁଥିବା ଭୁବନେଶ୍ୱର ଦେଶର ରେକର୍ଡ ବି ଭାଙ୍ଗି ଦେଇଛି। ଗୁରୁବର ଦିନ ଏଠାରେ ଦେଶର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ କରାଯାଇଛି। ବର୍ତ୍ତମାନ ଓଡ଼ିଶା ଉପରେ ଅର୍ଥାତ ଭୁବନେଶ୍ୱର ପାଖାପାଖି ଏକ ଗୁରୁଚାପ ବଳୟ ରହିଛି । ଜଳୀୟବାଷ୍ପ ପରିମାଣ ୨୦% ପାଖାପାଖି କମ୍ ରହୁଛି । ତେଣୁ ଭୂପୃଷ୍ଠ ପୂରା ଉତ୍ତପ୍ତ ରହୁଛି । ସେଥିପାଇଁ ଭୁବନେଶ୍ୱରରେ ତାପମାତ୍ରା ସବୁଠୁ ଅଧିକ ଅଛି। ୨/୩ ଦିନ ହେବ ଲଗାତାର ତାପମାତ୍ରା ବଢ଼ୁଛି । ପାଣିପାଗ ବିଭାଗ ଅନୁମାନ ଲଗାଇଛି ଯେ, ତାତି ଆହୁରି ବଢ଼ିବ । ଦିନକ ଭିତରେ ରାଜଧାନୀ ତାପମାତ୍ରା ୧ ଡିଗ୍ରୀ ବଢ଼ିଯାଇଛି । ବାରିପଦା ତାପମାତ୍ରା ୩୮, ଅନୁଗୁଳ ୩୭.୭, ଟିଟିଲାଗଡ଼ ୩୭.୬, ତାଳଚେର ୩୭.୧, ବଲାଙ୍ଗିର ୩୭, କଟକ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି । ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ଦୁଇଦିନ ହେବ ଭୁବନେଶ୍ୱର ତାପମାତ୍ରା ଦେଶରେ ସର୍ବାଧିକ ରହିଛି । ଏଭଳି ସ୍ଥିତି ଆହୁରି ୩/୪ ଦିନ ରହିବ । ସ୍ଥିତିରେ ପରିବର୍ତ୍ତନ ନ ହେଲେ ମାର୍ଚ୍ଚ ପହିଲାବେଳକୁ ପାରଦ ୪୦ ଡିଗ୍ରୀ ଛୁଇଁପାରେ । ଭୁବନେଶ୍ୱର କେବଳ ତାପମାତ୍ରା ବଢ଼ିନି, ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ ରହିଛି ବୋଲି ପାଣିପାଗ ବିଭାଗ କହିଛି ।