କଟକ,(ଏନଏନଏସ ଓଡ଼ିଆ /୦୬ .୦୨): କଟକ ଜିଲ୍ଲା ବଡ଼ମ୍ବାରେ ବନ ବିଭାଗ ହେପାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବାଣପୁର ବିଟ୍ ହାଉସରେ ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି। ଆଠଗଡ଼ ଆରକ୍ଷୀ ଅଧୀକ୍ଷକ ବିଜୟ ବିଶି ଓ ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।
ଅନ୍ୟପକ୍ଷରେ ବଡ଼ବାରସିଂ ଛକରେ ମୃତ ଧନେଶ୍ୱର ବେହେରାଙ୍କ ପରିବାର ଲୋକ ଓ ସାତଗୋଛିଆ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଧନେଶ୍ୱରଙ୍କୁ ଦୁଇ ଏସିଏଫ୍ ଓ ରେଞ୍ଜର ପିଟି ପିଟି ମାରି ଦେଇଥିବା ଲୋକେ ଅଭିଯୋଗ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବାକୁ ସେମାନେ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତା’ସହିତ ଧନେଶ୍ୱରଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ହଟିଥିଲା। ଧନେଶ୍ୱରଙ୍କ ମୃତ୍ୟୁ ଘଟଣାରେ ଆଠଗଡ଼ ପୁଲିସ୍ ଆଠଗଡ଼ ବନଖଣ୍ଡର ଦୁଇ ଏସିଏଫ୍- ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ, ରେଞ୍ଜର ସୁବ୍ରତ ବେହେରା ଏବଂ ଅନ୍ୟ ୭ ବନ କର୍ମଚାରୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି ସେମାନଙ୍କୁ ଆଠଗଡ଼ ଥାନାରେ ପଚରାଉଚରା କରୁଛନ୍ତି।