ଭୁବନେଶ୍ୱର: ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ‘ଭାରତ ବନ୍ଦ’ ଡାକରା ଦିଆଯାଇଛି । ରାଜ୍ୟରେ କେବଳ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିବ। ତେବେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସହିତ ଯାନବାହାନ ଚଳାଚଳ ମଧ୍ୟ ସ୍ବାଭାବିକ ରହିବ ବୋଲି ଜଣାପଡ଼ିଛି। ଜିଏସଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ ଆଇନରେ ଥିବା କଠୋର ଜରିମାନା ବ୍ୟବସ୍ଥା ଉଚ୍ଛେଦ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଛି। ଏହି ବନ୍ଦକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରୁଥିବାରୁ ରାଜ୍ୟରେ ଦୋକାନ ବଜାର ବନ୍ଦ ରହିବ।ତାଛଡ଼ା ଜିଏସ୍ଟି ଆଇନ ଯୋଗୁଁ ବ୍ୟବସାୟ କରିବା ମୁସ୍କିଲ ହୋଇପଡ଼ିଲାଣି ବୋଲି ମହାସଂଘ କହିଛି । କଟକ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ବନ୍ଦ ଡାକରାକୁ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବନ୍ଦ ସମୟରେ ଅତ୍ୟାବଶ୍ୟକ ସେବା ଯେପରି ବନ୍ଦ ନ ହୁଏ ତଥା ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକଙ୍କ କାମରେ ଯେପରି ବ୍ୟାଘାତ ସୃଷ୍ଟି ନ ହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଛକ ଜାଗାମାନଙ୍କରେ ଫୋର୍ସ ମୁତୟନ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି।