ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍କା। ହାତ ଛାଡିଲେ ହାର୍ଦ୍ଦିକ ପଟେଲ। କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ହାର୍ଦ୍ଦିକ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ଦେବା ସହ କଂଗ୍ରେସକୁ କରିଛନ୍ତି ଟାର୍ଗେଟ ।
ହାର୍ଦ୍ଦିକ ଟ୍ଵିଟ୍ କରି କହିଛନ୍ତି ଯେ, ଆଜି ମୁଁ ନିଜକୁ ସାହସ କରି କଂଗ୍ରେସ ପାର୍ଟି ପଦ ଏବଂ ସଦସ୍ୟତାରୁ ଇସ୍ତଫା ଦେଉଛି । ମୋର ଏହି ନିଷ୍ପତ୍ତିକୁ ଜନତା ସ୍ୱାଗତ କରିବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି । ମୋର ଏହି ପଦକ୍ଷେପ ପରେ ମୁଁ ଗୁଜୁରାଟର ଜନତାଙ୍କ ପାଇଁ ସଚ୍ଚୋଟତାର ସହ କାମ କରିବି ବୋଲି କହିଛନ୍ତି ହାର୍ଦ୍ଦିକ ।
ଗତ କିଛି ଦିନ ହେବ ହାର୍ଦ୍ଦିକ କଂଗ୍ରେସ ନେତାଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ। ସେ ଦଳ ଛାଡିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଏପରିକି ନିଜର ଅସନ୍ତୋଷକୁ ବାରମ୍ବାର ପରିପ୍ରକାଶ ମଧ୍ୟ କରିଛନ୍ତି ହାର୍ଦ୍ଦିକ । କେବଳ ଏତିକି ନୁହେଁ କଂଗ୍ରେସରେ ନିଜର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ ହାର୍ଦ୍ଦିକ । ଏକ ସାକ୍ଷାତକାର୍ରେ ହାର୍ଦ୍ଦିକ କହିଥିଲେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି କିମ୍ବା ସୋନିଆ ଗାନ୍ଧିଙ୍କ ଉପରେ ନୁହେଁ, ବରଂ ରାଜ୍ୟ ନେତୃତ୍ୱଙ୍କ ଉପରେ ତାଙ୍କର ଅସନ୍ତୋଷ ରହିଛି। ଆଜି ହାର୍ଦ୍ଦିକ ଏ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ହାର୍ଦ୍ଦିକ ପଟେଲ।
ଅନ୍ୟପଟେ କଂଗ୍ରେସର ହାତ ଛାଡି ବିଜେପିରେ ଯୋଗ ଦେଇ ପାରନ୍ତି ହାର୍ଦ୍ଦିକ ପଟେଲ ବୋଲି ଚର୍ଚ୍ଚା ହେଉଛି । ଏହା ପଛର ବଡ କାରଣ ହେଉଛି ହାର୍ଦ୍ଦିକ ପଟେଲଙ୍କ ନୂଆ ଫଟୋ । ହ୍ୱାଟସଆପର ନୂଆ ପ୍ରୋଫାଇଲ ଫଟୋରେ ହାର୍ଦ୍ଦିକ ପଟେଲ ଗେରୁଆ ଗାମୁଛା ପକାଇଥିବାର ଦେଖିବାକୁ ମିଳିଛି ।