ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପୁଣି ଥରେ ସ୍କ୍ରିନିଂ ଆରମ୍ଭ ହୋଇଛି । ଆରମ୍ଭରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଫେରିଥିବା ବେଳେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି । ଅନ୍ୟ ଜଣେ ଯାତ୍ରୀ ବି ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି । ବିଭିନ୍ନ ରାଜ୍ୟରେ ଦେଖାଦେଇଛି କରୋନାର ନୂଆ ଷ୍ଟ୍ରେନ୍। ଏଣୁ ପୁଣି ଥରେ କରୋନାର କୋପ କାୟା ବିସ୍ତାର କରିବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପୁଣି ଥରେ ସ୍କ୍ରିନିଂ ଆରମ୍ଭ ହୋଇଛି। କରୋନାର ଦ୍ୱିତୀୟ ଷ୍ଟ୍ରେନ୍କୁ ନଜରରେ ରଖି ବିଏମ୍ସି ଏଭଳି ସତର୍କତା ମୂଳକ ପଦକ୍ଷେପ ନେଇଛି।ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି । କୋଭିଡ୍ର କିଛି ଲକ୍ଷଣ ଦେଖାଗଲେ ଟେଷ୍ଟ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କ୍ରିନିଂ ପାଇଁ ୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ସ୍କ୍ରିନିଂ ବେଳେ ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରାଯିବ ବୋଲି କହିଛନ୍ତି ବିଏମ୍ସି ଅତିରିକ୍ତ କମିଶନର ।