ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚଳାଚଳ କରଥାଏ । ଲକ୍ଷ ଲକ୍ଷ ଲୋକ ଏଥିରେ ଯାତ୍ରା କରନ୍ତି । ଆପଣ ଅନେକ ରେଳ ଟ୍ରାକ୍ ବିଷୟରେ ଶୁଣିଥିବେ, ଯାହା ଅତି ଦୁର୍ଗମ ଅଞ୍ଚଳରେ ନିର୍ମିତ ହୋଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ରେଳ ଟ୍ରାକ୍ ବିଷୟରେ କହିବାକୁ ଯାଉଛୁ, ଯାହା ଉପରେ ଆଜି ବି ବ୍ରିଟେନର ଦଖଲ ରହିଛି । ଏହି ଟ୍ରାକରେ ଟ୍ରେନ୍ ଚଲାଇବା ପାଇଁ ଭାରତୀୟ ରେଲୱେ ବ୍ରିଟେନର ଏକ ଘରୋଇ କମ୍ପାନୀକୁ ବାର୍ଷିକ ୧ କୋଟି ୨୦ ଲକ୍ଷ ଟଙ୍କା ଦେଇଥାଏ ।
ଏହି ରେଳ ଟ୍ରାକ୍ ମହାରାଷ୍ଟ୍ର ର ଅମ୍ରାବତୀରେ ରହିଛି । ଏହି ମାର୍ଗରେ ଚାଲୁଥିବା ଶକୁନ୍ତଳା ଏକ୍ସପ୍ରେସ ଯୋଗୁଁ ଏହାକୁ ‘ଶକୁନ୍ତଳା ରେଳ ମାର୍ଗ’ ମଧ୍ୟ କୁହାଯାଏ । ୧୯୦୩ ମସିହାରେ ବ୍ରିଟିଶ୍ କମ୍ପାନୀ କ୍ଲିକ୍ ନିକ୍ସନ୍ (Click Nixon) ତରଫରୁ ଏହି ଟ୍ରାକ୍ ତିଆରି କରିବାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୯୬୧ରେ ରେଳ ଟ୍ରାକ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଏହି କମ୍ପାନୀ ଆଜି ସେଣ୍ଟାଲ ପ୍ରୋଭିନ୍ସ ରେଲୱେ କମ୍ପାନୀ ନାମରେ ଜଣାଶୁଣା ।
ଅମ୍ରାବତୀ ଅଞ୍ଚଳ କପା ଚାଷ ପାଇଁ ସାରା ଦେଶରେ ପ୍ରସିଦ୍ଧ ଥିଲା । ବ୍ରିଟିଶମାନେ ମୁମ୍ବାଇ ବନ୍ଦରକୁ କପା ପରିବହନ ପାଇଁ ଏହି ରେଳ ଲାଇନ୍ ନିର୍ମାଣ କରିଥିଲେ । ସେହି ସମୟରେ କେବଳ ଘରୋଇ ସଂସ୍ଥାଗୁଡ଼ିକ ରେଳ ନେଟୱାର୍କ ବିସ୍ତାର କରିବା ପାଇଁ କାର୍ଯ୍ୟ କରୁଥିଲେ ।ଆଜି ବି ଏହି ଟ୍ରାକ୍ ଏହି ବ୍ରିଟିଶ କମ୍ପାନୀର ଦଖଲରେ ରହିଛି । ଏହାର ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଏହା ଉପରେ ଅଛି । ପ୍ରତିବର୍ଷ ଟଙ୍କା ଦେବା ସତ୍ତ୍ୱେ ଏହି ଟ୍ରାକ୍ ବହୁତ ଦୟନୀୟ ଅବସ୍ଥାରେ ରହିଛି ।
ରେଳ ସୂତ୍ରରୁ ପ୍ରକାଶ ଯେ ଗତ ୬୦ ବର୍ଷ ଧରି ଏହାର ମରାମତି ମଧ୍ୟ ହୋଇନାହିଁ । ଏହା ଉପରେ ଚାଲୁଥିବା JDM ସିରିଜ୍ ଡିଜେଲ ଲୋକୋ ଇଞ୍ଜିନର ସର୍ବାଧିକ ସ୍ପିଡ୍ ୨୦ କିଲୋମିଟରରେ ରଖାଯାଇଛି ।