ପୁଣି ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର | ମେଡିକାଲ ଅଛି, ହେଲେ ନାହାନ୍ତି ଡାକ୍ତର କି କର୍ମଚାରୀ | ରୋଗୀ ଆସୁଛନ୍ତି, କିନ୍ତୁ ଚିକିତ୍ସା ନପାଇ ଫେରିକି ଯାଉଛନ୍ତି | ଗତକାଲି ସନ୍ଧ୍ୟାରେ ପ୍ରସବ ବେଦନା ହେବାରୁ ଜଣେ ଗର୍ଭବତୀ ମେଡିକାଲରେ ପହଂଚିଥିଲେ | ହେଲେ ସେଠାରେ ଡାକ୍ତର କି, କର୍ମଚାରୀ ନଥିବାରୁ ମେଡିକାଲ ବନ୍ଦ ଥିଲା | ଅନ୍ୟ କିଛି ଉପାୟ ନପାଇ ମେଡିକାଲ ବାହାରେ ଖୋଲା ଆକାଶ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ମହିଳା | ସ୍ୱାସ୍ଥ୍ୟ ବିଭାଗର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜ଼ିଲ୍ଲା କଙ୍କଡାହାଡ଼ ବ୍ଲକ ବିରାଶାଳ ମେଡିକାଲରେ |
ରହଣି ଗାଁର ସନ୍ତୋଷ ନାୟକଙ୍କ ପତ୍ନୀ ଦେବକୀ ନାୟକଙ୍କର ଗତକାଲି ସନ୍ଧ୍ୟାରେ ପ୍ରସବ ବେଦନା ହୋଇଥିଲା | ଫଳରେ ଗାଁର ଆଶା କର୍ମୀଙ୍କ ସହାୟତାରେ ପରିବାର ଲୋକେ ତାଙ୍କୁ କଙ୍କଡାହାଡ଼ ବ୍ଲକ ବିରାଶାଳ ମେଡିକାଲକୁ ନେଇକି ଯାଇଥିଲେ | କିନ୍ତୁ ସଞ୍ଜ ଗଡ଼ିବା ଆଗରୁ ମେଡିକାଲ ବନ୍ଦ ଡାକ୍ତର ଓ କର୍ମଚାରୀ ଛୁ ମାରିଥିଲେ | ଗର୍ଭବତୀ ମହିଳା ଜଣକ ଘଣ୍ଟାଏ ଅପେକ୍ଷା କରିବା ପରେ ମେଡିକାଲ କ୍ୟାମ୍ପସ ଭିତରେ ଖୋଲା ଆକାଶ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ | ଖବର ପାଇ ମେଡିକାଲ କର୍ମଚାରୀ ଆସି ପ୍ରସୂତିଙ୍କ ସହିତ ଶିଶୁକୁ ମେଡିକାଲ ଭିତରକୁ ନେଇକି ଯାଇଥିଲେ | ଯାହାକି ଏଠାରେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |