ପେଶାରେ ଜଣେ ଡ଼ାକ୍ତର | ହେଲେ ନିଶା ପାରମ୍ପରିକ ନାଟକ କରିବା । ଦିନବେଳା ରୋଗୀସେବା | ହେଲେ ରାତିରେ ରାବଣ ଚରିତ୍ରରେ ଅଭିନୟ | ଏଭଳି ଜଣେ ବ୍ୟକ୍ତିତ୍ଵ ହେଉଛନ୍ତି ବଲାଙ୍ଗୀର ସହରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ଡ଼ାକ୍ତର ରୁଦ୍ର ନାରାୟଣ ପଟେଲ । ଛୋଟ ଦିନରୁ ତାଙ୍କର ନାଟକ ପ୍ରତି ରୁଚି ରହିଛି | ତେବେ ପାରମ୍ପରିକ ଲୋକକଳାକୁ ବଞ୍ଚାଇବା ପାଇଁ ସେ ନିଜେ ନାଟକରେ ଅଭିନୟ କରି ବେଶ ଚର୍ଚ୍ଚାରେ ରହିଛନ୍ତି ।
ବ୍ୟସ୍ତ ବହୁଳ କର୍ମ କ୍ଷେତ୍ରରୁ ସମୟ ବାହାର କରି ବଲାଙ୍ଗୀରର ଡାକ୍ତର ଏବେ ଆଞ୍ଚଳିକ ଓ ପାରମ୍ପରିକ ନାଟକକୁ ବଞ୍ଚାଇ ରଖିବାକୁ କରିଛନ୍ତି ପ୍ରଚେଷ୍ଟା । ପୁରୁଣା କଳା ସଂସ୍କୃତିକୁ ଉଜ୍ଜୀବିତ କରିବାର କାମ ଆରମ୍ଭ କରିଛନ୍ତି । ପାରମ୍ପରିକ ନାଟକ ଏବେ ହଜି ଯାଉଥିବାରୁ ଏହାକୁ ପୁନର୍ଜିବିତ କରିବା ଦିଗରେ ସେ ଲାଗି ପଡିଛନ୍ତି । ତେବେ ସେ ବଲାଙ୍ଗୀର ସହର ସ୍ଥିତ ରାମଜୀପଡ଼ାରେ ଥିବା ସମସ୍ତ ପୁରୁଣା ଓ ନୂଆ କଳାକାରଙ୍କୁ ଏକତ୍ରିତ କରି ପୁଣି ଆରମ୍ଭ କରିଛନ୍ତି ରାମଲୀଳା ନାଟକ | ସେହି ପାରମ୍ପରିକ ନାଟକକୁ ମଞ୍ଚସ୍ଥ କରି ବେଶ ପ୍ରଶଂସା ସାଉଁଟିଛନ୍ତି । ଯେଉଁଥିରେ ସେ ନିଜେ ରାବଣ ଭୂମିକାରେ ଆସି ଲୋକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ।
ଶହ ଶହ ବର୍ଷର ରାମଲୀଳା ଗୀତିନାଟ୍ୟ ଆଜି ମଧ୍ୟ ବଞ୍ଚିଛି। ବଲାଙ୍ଗୀର ସହରର ରାମଜୀପଡ଼ାସ୍ଥିତ ରାମଜୀ ନାଟ୍ୟ ସାଂସଦ ପକ୍ଷରୁ ୧୫୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ରାମଲୀଳା | କିନ୍ତୁ କିଛି ସମସ୍ୟା ଯୋଗୁ ତାହା ବନ୍ଦ ହୋଇଯାଇଥିଲା | ଡ଼ା ରୁଦ୍ର ନାରାୟଣ ପଟେଲଙ୍କ ଯୋଗୁଁ ଏବେ ଏହାର ପୁନରୁଦ୍ଧାର ହୋଇପାରିଛି | ସମସ୍ତଙ୍କ ସହଯୋଗ ରହିଲେ ଏହାକୁ ବିଶ୍ୱସ୍ତରୀୟ କରାଯାଇପାରିବ ବୋଲି କମିଟୀ ପକ୍ଷରୁ କୁହାଯାଇଛି |