ପୁଣି ଦାଉ ସାଜିଛି କାଳବୈଶାଖୀ । ଲଗାତାର ଦୁଇ ତିନି ଦିନ ଧରି ଅପରାହ୍ନରେ ମାଡି ଆସୁଛି କାଳବୈଶାଖୀ | ଆଉ କ୍ଷଣକ ଭିତରେ ରଚୁଛି ତାଣ୍ଡବ | ଉଡିଯାଇଛି ଘର ଛପର। ଉପୁଡି ପଡିଛି ବଡ଼ ବଡ଼ ଗଛ | କାଳ ବୈଶାଖୀର ଏହି କରାଳ ରୂପ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ସଦର ମହକୁମାରେ |
କାଳବୈଶାଖୀ ପ୍ରଭାବରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହୋଇଥିଲା। ଫଳରେ ଗ୍ରାମର ବହୁ ଲୋକଙ୍କ ଚାଳ ଛପର ଓ ଆଜବେଷ୍ଟସ ଉଡାଇ ନେଇଛି | କେତେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ଘର ଉପରେ ପଡି ଯାଇଛି | ସେହିପରି କାଳବୈଶାଖୀ ତାଣ୍ଡବରେ ଏମଭି-୯୬ ଗ୍ରାମର କାଞ୍ଚନ ବାଇନଙ୍କ ଘରର ଟିଣ ଛପର ଉଡିଯାଇଛି। ଏହା ସହିତ ଘରର ସମସ୍ତ ଉପକରଣ, ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି | ଅଳ୍ପକେ ବର୍ତ୍ତିଯାଇଛି ପରିବାର ସଦସ୍ୟଙ୍କ ଜୀବନ। ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ସହାୟତା ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି |