ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର । ଆଣ୍ଡାମାନ ସାଗର ଓ ତାହାର ପାଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସକାଳ ୫ଟା ୩୦ରେ ସୃଷ୍ଟି ହୋଇଛି ଏହି ଘୁର୍ଣ୍ଣିବଳୟ | ଯାହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପିଛି | ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅଧିକ ସ୍ପଷ୍ଟ ହେବ। ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି |
ଲଘୁଚାପ ସମୟରେ ସମୁଦ୍ରରେ ପବନର ବେଗ ପ୍ରତି ଘଣ୍ଟା୬୦ ରୁ ୭୦ କିମି ରହିବା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ଯଦି ନେବ, ଏହାର ପ୍ରଭାବ କେତେ ରହିବ, କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୩ ରୁ ୪ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ କାଳବୈଶାଖୀ ସକ୍ରିୟ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ବାତ୍ୟା କେଉଁ ଆଡ଼କୁ ଯିବ ସେ ନେଇ ବି କିଛି ଆକଳନ ହୋଇନାହିଁ । ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।