ଆପଣ ଅନେକ ମନ୍ଦିର ଯାଇଥିବେ | ଅନେକ ଦେବା ଦେବୀଙ୍କୁ ଦର୍ଶନ କରିଥିବେ | କିନ୍ତୁ କେବେ କୃଷକ ମନ୍ଦିର ବିଷୟରେ ଶୁଣିଛନ୍ତି କି ? ଅଜ୍ଞା ହଁ କୃଷକ ମନ୍ଦିର | ଆଉ ଏହି ମନ୍ଦିରରେ ପୂଜା ପାଆନ୍ତି କୃଷକ ଦେବତା | ଏଭଳି ଏକ ନିଆରା ମନ୍ଦିର ଦେଖିବାକୁ ମିଳେ ଆମ ଓଡ଼ିଶାରେ | କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଣିଯୋରି ଗ୍ରାମରେ ରହିଛି ଏହି ନିଆରା ମନ୍ଦିର | ତେବେ ସମଗ୍ର ଭାରତବର୍ଷରେ ଏହିଠାରେ ହିଁ କେବଳ ଗୋଟିଏ କୃଷକ ମନ୍ଦିର ରହିଛି |
ଆଜି ପବିତ୍ର ଅକ୍ଷୟ ତୃତୀୟା | କୃଷିଭିତ୍ତିକ ଏହି ପର୍ବରେ କୃଷକ କ୍ଷେତରେ ପୂଜା କରି ଅଖିମୁଠି ଅନୁକୂଳ କରିଥାଏ। ଏହି ଅବସରରେ ମଣିଯୋରି ଗ୍ରାମରେ ଏକ ନିଆରା ପରମ୍ପରା ପାଳନ କରାଯାଏ। କୃଷକ ମନ୍ଦିରରେ କୃଷକଙ୍କ ପ୍ରତିମୂର୍ତ୍ତି ପୂଜା ପାଇଥାନ୍ତି। କୃଷକଙ୍କ ପ୍ରତିମୂର୍ତ୍ତି ମୁଣ୍ଡରେ ରହିଛି ଟୋପି, ଆଉ କାନ୍ଧରେ ଲଙ୍ଗଳ । ଏ ହେଉଛନ୍ତି କୃଷକଙ୍କ ପ୍ରତୀକ ଦେବତା ତଥା ଆମ ସମସ୍ତଙ୍କ ଅନ୍ନଦେଵତା । ଏହି ମନ୍ଦିର ୨୦୦୫ ମସିହାରେ ସ୍ଥାପନା କରାଯାଇଥିଲା। ଏହା ସାରା ଭାରତ ବର୍ଷରେ ପ୍ରଥମ କୃଷକ ମନ୍ଦିର ଭାବେ ଉନ୍ମୋଚିତ ହୋଇଥିଲା। ସେହିଦିନଠାରୁ ପ୍ରତି ବର୍ଷ ଅକ୍ଷୟ ତୃତୀୟା ଅବସରରେ କୃଷକ ମନ୍ଦିରରେ ନୂଆ ଲୁଗା ପୂଜାର୍ଚ୍ଚନା କରାଯାଇଥାଏ | ଏଥିସହ ଗାଁର ଚାଷୀମାନେ ପ୍ରଥମେ ଏଠି କୀର୍ତ୍ତନ କରିବା ପରେ ଯାଇ କ୍ଷେତରେ ଅଖିମୁଠି ଅନୁକୂଳ କରିଥାନ୍ତି । ଏହି ଅଞ୍ଚଳର ଚାଷୀମାନେ ଚାଷ ଅନୁକୂଳ କରିବା ପୂର୍ବରୁ କୃଷକ ମନ୍ଦିରରେ ପ୍ରଥମେ ପୂଜା କରିଥାନ୍ତି।