ଆଜି ଭାଇଚାରାର ପର୍ବ ଇଦ୍ । କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଆଜି ଇଦର ସମୂହ ନମାଜ ପାଠ କରାଯାଇଛି । କରୋନା କଟକଣା କୋହଳ ହେବାରୁ ପ୍ରାୟ ୨ବର୍ଷ ପରେ ଏକାଠି ହୋଇଛନ୍ତି ମୁସଲିମ୍ ଭାଇ ଭଉଣୀମାନେ । ଏକ ମାସ ରୋଜା ରଖିବା ପରେ ଇଦ୍ ର ଚାନ୍ଦ ଦର୍ଶନ ପରେ ଅନୁଷ୍ଠିତ ହୋଇଛି ଇଦ ଉଲ ଫିତର ।
ସବୁ ମୁସଲମାନଙ୍କ ପରିବାରରେ ଧୁମ୍ ଧାମରେ ପାଳନ କରାଯାଉଛି ଏହି ପର୍ବ । ଘରେ ଘରେ ପ୍ରସ୍ତୁତ ହଉଚି ସୁସ୍ୱାଦୁ ବ୍ୟଞ୍ଜନ । ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ମସ୍ଜିଦ୍ ଯାଇ କରୁଛନ୍ତି ନମାଜ ପାଠ । ରାସ୍ତାଘାଟରେ ଦେଖିବାକୁ ମିଳିବ ମୁସଲିମ୍ ଭାଇଙ୍କ ଆଲିଙ୍ଗନର ଦୃଶ୍ୟ ।
ଆଜି ଇଦ୍ ଉଲ୍ ଫିତର ଅବସରରେ କେନ୍ଦ୍ରାପଡା ସହରର ଫକିରାବାଦ ମସଜିଦ, ପୁରୁଣା ଇଦଗାହା, ନୂଆ ଇଦଗାହା ଆଦିରେ ହଜାର ହଜାର ମୁସଲମାନ ଭାଇମାନେ ସମୂହ ନମାଜପାଠ କରିଛନ୍ତି । କେନ୍ଦ୍ରାପଡା ସହରରେ ଅଛନ୍ତି ୪ଟି ସମ୍ପ୍ରଦାୟର ମୁସଲମାନ । ସେମାନେ ହେଲେ ଦେଓବନ୍ଦି, ବରେଲି, ଅଲହଦିସ୍ ଓ କାଦିଆନ ସମ୍ପ୍ରଦାୟର । ଅଲହଦିସ୍ ଓ କାଦିଆନ ସମ୍ପ୍ରଦାୟର ମହିଳା ଭକ୍ତମାନେ ପୁରୁଷ ମାନଙ୍କପରି ମସଜିଦରେ ନମାଜ ପାଠ କରିଛନ୍ତି । ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ ଆଜି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।