ଭୁବନେଶ୍ୱର : ଏବେଠୁ ରାଜ୍ୟରେ ଗରମ ଅନୁଭୁତ ହେଉଥିବା ଦେଖିବାକୁ ମିଳିଲାଣି । ରାଜ୍ୟରେ ଧିରେ ଧିରେ ତାପମାତ୍ରା ବୃଦ୍ଧି ପାଉଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଉପକୂଳ ଓଡିଶାରେ ତାପମାତ୍ରା ସ୍ବଭାବିକ ରହିଥିବା ବେଳେ ଉତ୍ତର ଓଡିଶାରେ ଧିରେ ଧିରେ ତାପମାତ୍ରା ବଢୁଛି । ଏବେଠୁ ରାଜଧାନୀରେ ଅସହ୍ୟ ହେଲାଣି ତାତି । ବୁଧବାର ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି । ଦିନସାରା ଟାଣ ଖରା ଅନୁଭୂତ ହୋଇଛି । ସେହିଭଳି ୧୧ ଜିଲ୍ଲାରେ ପାରଦ ୩୫ଡିଗ୍ରୀ ଡେଇଁଛି । ସେପଟେ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡଲାଇନ୍ ଜାରି କରିଛନ୍ତି । ସମସ୍ତ ଜିଲ୍ଲାପାଳ ଓ ପୌର କର୍ତ୍ତୃପକ୍ଷଙ୍କୁ ଏ ନେଇ ଚିଠି ଲେଖାଯାଇଛି । ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ପାଇଁ ଓସଡ୍ମା ପକ୍ଷରୁ ଏସ୍ଓପି ପ୍ରସ୍ତୁତ ହୋଇଛି । କଟକରେ ତାପମାତ୍ରା ୩୬.୬ଡିଗ୍ରୀ ଥିବାବେଳେ ଅନୁଗୁଳରେ ୩୫.୭, ବାରିପଦାରେ ୩୬.୮, ଝାରସୁଗୁଡ଼ାରେ ୩୫, ସମ୍ବଲପୁରରେ ୩୫.୩, ତାଳଚେରରେ ୩୫.୫, ଭବାନୀପାଟଣାରେ ୩୫.୫, ବଲାଙ୍ଗୀରରେ ୩୬.୪, ଟିଟିଲାଗଡ଼ରେ ୩୬, ନୟାଗଡ଼ରେ ୩୬.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି । ତାତି ବଢୁଥିବାରୁ ଜଳାଭାବ ସମସ୍ୟାକୁ ଦୃଷ୍ଟି ଦେବାକୁ ଏହି ଗାଇଡଲାଇନ୍ରେ କୁହାଯାଇଛି । ନଳକୂପ ଓ ପାଇପ୍ ଜଳଯୋଗାଣ ବ୍ୟବସ୍ଥାର ଆଗୁଆ ମରାମତି କରିବାକୁ କୁହାଯାଇଛି । ଜଳଭଣ୍ଡାରରୁ କେନାଲ ଯୋଗେ ପାଣି ଛାଡିବାକୁ ଜଳସମ୍ପଦ ବିଭାଗକୁ କୁହାଯାଇଛି । ସେହିଭଳି ସହର ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ସେବା କେନ୍ଦ୍ର ବା ଜଳଛତ୍ର ଖୋଲିବାକୁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍କୁଲରେ ପିଇବା ପାଣି ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ଓଆରଏସ୍ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଗାମୀ 4, 5 ଦିନ ଯାଏ ପାଣିପାଗ ମୁଖତଃ ଶୁଖିଲା ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଦୁଇଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ତୃତୀୟ ଦିନଠୁ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ସୂଚନା ମିଳିଛି ।