ଆମେ ଓଡ଼ିଆ ଆମ ଖାଦ୍ୟ ଭାରି ବଢିଆ। ଆମେ ସମସ୍ତେ ଜାଣିଛୁ କି ଓଡ଼ିଆମାନଙ୍କ ଭାରି ପ୍ରିୟ ପଖାଳ । ପଖାଳ ସାଙ୍ଗରେ ଶାଗ ଭଜା, ପିଆଜ ଆଉ ଗୋଟିଏ କଞ୍ଚାଲଙ୍କା ହେଲେ ଓଡିଆଙ୍କର ଉଠିଯାଏ କଂସାଏ ପଖାଳ। କିନ୍ତୁ ଜାଣିଛନ୍ତି କି ଆମ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ରହିଛି ପଖାଳର ବେଶ ଚାହିଦା। ଶ୍ରମିକ ଦିବସ ଅବସରରେ ଶ୍ରମିକମାନଙ୍କ ପାରମ୍ପାରିକ ଖାଦ୍ୟ ପଖାଳ ଖାଇବାକୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆହ୍ୱାନ ଦେଇଥିଲେ | ଫଳରେ ପୂରା ଛତିଶଗଡ଼ ପଖାଳର ଖାଇବାର ମଜା ଉଠାଇଥିଲା।
“ଶ୍ରମିକଙ୍କ ପାଇଁ ଦିନଟିଏ” | ଯେଉଁମାନେ ସର୍ବଦା ଅକ୍ଲାନ୍ତ ପରିଶ୍ରମ କରି ସମାଜ ଗଢ଼ିବା ସହିତ ସହରକୁ ପରିଷ୍କାର ରଖୁଛନ୍ତି ତାଙ୍କ ପାଇଁ ଦିନଟିଏ। ଏହି ଅବସରରେ କିଛି ସଂସଦୀୟ ସଚିବ , ମେୟର , ବଡ଼ ସରକାରୀ ଅଧିକାରୀ ଏବଂ ରାଜନେତାଙ୍କ ଦ୍ଵାରା ସଫେଇ କର୍ମଚାରୀଙ୍କ ସହିତ ଏକ ପଖାଳ ଭୋଜିର ଆୟୋଜନ କରାଯାଇଥିଲା। ଏମିତିକି ମାଓବାଦୀଙ୍କ ସହ ଜଙ୍ଗଲରେ ଲଢ଼ୁଥିବା ଯବାନମାନେ ମଧ୍ୟ ଜଙ୍ଗଲରେ ବସି ପଖାଳର ଆନନ୍ଦ ନେଇଥିଲେ।
ଛତିଶଗଡ଼ ବାସୀଙ୍କ କହିବାନୁଯାୟୀ, ଛତିଶଗଡ଼ର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲଙ୍କ ଏ ଦିଗରେ ଏକ ବଡ଼ ପ୍ରୟାସ। ଛତିଶଗଡର ଏକ ପରମ୍ପରା ହେଉଛି ସକାଳେ ଉଠିବା ମାତ୍ରେ ପଖାଳ ଖାଇ ନିଜ ନିଜର କର୍ମକ୍ଷେତ୍ରକୁ ଯାଇଥାନ୍ତି। ରାତିର ଅବଶିଷ୍ଟ ଭାତକୁ ପାଣି ମିଶାଇ ସକାଳେ ଖାଇବାର ଏହି ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି | ପଖାଳ କେବଳ ପୁଷ୍ଟିକର ଖାଦ୍ୟରେ ପରିପୂର୍ଣ୍ଣ ନୁହେଁ, ଗରମ ଗ୍ରୀଷ୍ମ ଦିନରେ ଏହା ଶରୀରକୁ ଥଣ୍ଡା ରଖିଥାଏ । ଏହାର ରୋଗ ପ୍ରତିରୋଧକ କାରଣରୁ ଛତିଶଗଡରେ ମଧ୍ୟ ଏହା ଲୋକପ୍ରିୟ ।