ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ପୋଲିସ ବାବୁ। ପୋଲିସ ଏଏସଆଇ ଜୟଦାଶ ଖରାଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କିର୍ତ୍ତନପାଲ୍ଲୀ ଫାଣ୍ଡିର ନିଲମ୍ବିତ ଏଏସଆଇଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢାଉ କରିଥିଲା । ଏହି ଚଢାଉରେ ଜୟଦାଶଙ୍କ ଘରୁ ୧ କୋଟି ୮ ଲକ୍ଷ ୪୧ ହଜାର ୭୮୨ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠୁଳ ହୋଇଥିବା ଜଣାପଡିଥିଲା। ଏହି ସଂପତ୍ତିର ସଠିକ ତଥ୍ୟ ସେ ଭିଜିଲାନ୍ସକୁ ଦେଇ ପାରିନଥିବରୁ ତାଙ୍କୁ ଗିରଫ କରାଯାଇଥିବା କୁହାଯାଇଛି |
ଗତକାଲି ଏଏସଆଇ ଜୟଦାଶଙ୍କ ମାଲକାନଗିରି ଏବଂ କୋରାପୁଟର ୫ଟି ସ୍ଥାନରେ ଚଢାଉ କରାଯାଇଥିଲା। ତାଙ୍କଠାରୁ ୧ ଲକ୍ଷ ୨୫୦ ଟଙ୍କା ନଗଦ ଟଙ୍କା ସହ ୨୯୦ ଗ୍ରାମର ସୁନାଗହଣା ମିଳିଥିଲା | ଏଥିସହ ୪୧.୨୪ ଲକ୍ଷ ଟଙ୍କାର ଗୋଟିଏ କୋଠାଘର, ୩୩.୬୭ ଲକ୍ଷ ଟଙ୍କାର ତିନି ମହଲା କୋଠା, କୋରାପୁଟ ଜିଲ୍ଲାରେ ଦୁଇଟି ପ୍ଲଟ , ବ୍ୟାଙ୍କରେ ଜମା, ଜୀବନବୀମା, ଘରୋଇକରଣ ଜିନିଷର ମୂଲ୍ୟ ୨୩ .୯୧ ଲକ୍ଷ ଟଙ୍କାର ବୋଲି ଭିଜିଲାନ୍ସ ବିଭାଗ କହିଛି।
ପ୍ରକାଶ ଥାଉକି ଗତ ମାର୍ଚ୍ଚ ମାସରେ ସେ ଗଞ୍ଜେଇ ଚୋରା ଚାଲାଣରେ ବେପାରୀଙ୍କୁ ସହଯୋଗ କରିଥିବା ଘଟଣାରେ ଜେଲ ଯାଇଥିଲେ | କିଛି ଦିନ ପୂର୍ବରୁ ଫେରିଥିବାବେଳେଆଜି ପୁଣି ଭିଜିଲାନ୍ସ ପଞ୍ଝାରେ ପଡି ଜେଲକୁ ଯିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।