ଇଣ୍ଡିଆ ଟୁଡେ କନକ୍ଲେଭରେ ପରିବର୍ତ୍ତିତ ଓଡ଼ିଶା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ବିଗତ ୨ ଦଶନ୍ଧିରେ ଓଡ଼ିଶାରେ ଅନେକ କିଛି ବଦଳିଛି । ଅନେକ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ଲାଗି ରୋଲ୍ ମଡେଲ୍ ପାଲଟିଛି । ଓଡ଼ିଶାର ଏହି ଯାତ୍ରାରେ ଅନେକ ପ୍ରତିବନ୍ଧକ ଆସିଛି । ଭୌଗଳିକ ସହ ସାମାଜିକ-ଅର୍ଥନୈତିକ ଚ୍ୟାଲେଞ୍ଜକୁ ସାମ୍ନା କରି ଓଡ଼ିଶା ଗୋଟିଏ ଲକ୍ଷ୍ୟରେ ଆଗକୁ ବଢ଼ିଛି ବୋଲି କହିଥିଲେ ନବୀନ |
ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨ ହଜାର ମସିହାରେ ଦାୟିତ୍ୱ ନେଇଥିଲେ । ଠିକ୍ ବର୍ଷକ ପୂର୍ବରୁ ୧୯୯୯ ମହାବାତ୍ୟା ସବୁ ଛାରଖାର୍ କରି ଦେଇଥିଲା । ବିଗିଡ଼ି ଯାଇଥିଲା ରାଜ୍ୟର ଆର୍ଥିକ ସ୍ଥିତି । ଦରମା ଦେବାକୁ ଟଙ୍କା ନଥିଲା । ଏବେ ସ୍ଥିତି ବଦଳିଛି, ଉନ୍ନତି ହୋଇଛି । ସେତେବେଳେ ଭୋକିଲା, ଗରିବୀକୁ ନେଇ ଖବରର ଚର୍ଚ୍ଚାକୁ ଆସୁଥିବା ଓଡ଼ିଶା ଏବେ ସୁନାମ ଅର୍ଜନ କରୁଛି ।
ନୂତନ ଓଡ଼ିଶା ଗଠନ ଦିଗରେ ଆମ ସରକାର କାମ କରୁଛି । 5Tକୁ ନେଇ ଗତିଶୀଳ ହେଉଛି ବ୍ୟବସ୍ଥା । ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍ ଓ ଟ୍ରାନ୍ସଫର୍ମେସନକୁ ସରକାର ଗୁରୁତ୍ୱ ଦେଉଛନ୍ତି । ସରକାର ଦୁର୍ନୀତିପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ଲୋକ-କୈନ୍ଦ୍ରୀକ ପ୍ରଶାସନ କାର୍ଯ୍ୟ କରୁଛି । ଲୋକସେବା ଭବନର ସମସ୍ତ ସେବା ଅନଲାଇନରେ ଉପଲବ୍ଧ ହେଉଛି । ଅଧିକାଂଶ ସେବା ଅନଲାଇନରେ ମିଳୁଛି । ହାଇସ୍କୁଲରେ ସ୍ମାର୍ଟସ୍କୁଲ୍ ନିର୍ମାଣ କରାଯାଇଛି । କୃଷକଙ୍କୁ ଶସକ୍ତ କରିବା ଲାଗି ପ୍ରଣୟନ ହୋଇଛି କାଳିଆ ଯୋଜନା ।
ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ, କରୋନା ମହାମାରୀ ଆଦି ବିପତ୍ତିକୁ ସରକାର ସଫଳତାର ସହ ମୁକାବିଲା କରିଛନ୍ତି । ମହିଳାଙ୍କୁ ଶସକ୍ତ କରାଯାଉଛି । ପ୍ରାୟ ୭୦ ପ୍ରକିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଉଛନ୍ତି ମହିଳା । ରାଜ୍ୟ ସରକାର ଖେଳ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଜାତୀୟ ସହ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି । ହକିର ଗୌରବ ବଞ୍ଚାଇ ରଖିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି । ବିଗତ ୨ ଦଶନ୍ଧିରେ ରାଜ୍ୟ ଅନେକ ସଫଳତା ପାଇଛି । ଗରିବୀ ରାଜ୍ୟ ଓଡ଼ିଶା ଏବେ ଧାନ ଉତ୍ପାଦନରେ ଦେଶରେ ଆଗୁଆ ରାଜ୍ୟ । ଇସ୍ପାତ, ଆଲୁମିନିୟମ୍ ଭଳି ଶିଳ୍ପ ପାଇଁ ଓଡ଼ିଶା ଏବେ ସଭିଁଙ୍କ ପସନ୍ଦ ।