ଭିଜିଲାନ୍ସ ଜାଲରେ ଏଏସଆଇ | ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରାପଡ଼ା ସଦର ଥାନା ଏଏସଆଇ ପୃଥ୍ୱୀରାଜ ମିଶ୍ର | ଏକ ମାଡ଼ପିଟ ଘଟଣାର ଫାଇନାଲ ଚାର୍ଜସିଟ ଦେବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ଏଏସଆଇ ପୃଥ୍ୱୀରାଜ ମିଶ୍ରଙ୍କ ସମେତ ଲାଞ୍ଚ ନେବାରେ ମଧ୍ୟସ୍ଥତା କରୁଥିବା ବ୍ରଜକିଶୋର ବେହେରାକୁ ଗିରଫ କରିଛି ଭିଜିଲାନ୍ସ । ଡ଼ିଏସପି ବିଜୟ ଓରାମଙ୍କ ନେତୃତ୍ୱରେ ୭ ଜଣିଆ ଟିମ ପୃଥ୍ୱୀରାଜଙ୍କ ସରକାରୀ ବାସଭବନ ଓ ପୈତୃକ ଘର ଯାଜପୁରରେ ଚଢ଼ାଉ ଜାରି ରହିଛି |
ଅଭିଯୋଗ ଅନୁଯାୟୀ, ସଦର ଥାନା କୋରୁଆ ଗାଁର ମିହିର କୁମାର ଲେଙ୍କା ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ଗଣ୍ଡଗୋଳ ଲାଗି ରହିଥିଲା | ଗତବର୍ଷ ଅଗଷ୍ଟ ୧୫ ତାରିଖରେ ମିହିରଙ୍କ ସାନଭାଇକୁ ପଡୋଶୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ତେବେ ଆକ୍ରମଣକାରୀ ପ୍ରଥମେ ସଦର ଥାନାରେ ଅଭିଯୋଗ କରିଥିବାରୁ ମିହିରଙ୍କ ପରିବାରର ଅଭିଯୋଗକୁ ଗ୍ରହଣ କରିନଥିଲା ପୋଲିସ। ପରେ ବିପକ୍ଷ ପକ୍ଷରୁ ପୁନର୍ବାର ଏକ ମାମଲା ମିହିରଙ୍କ ପରିବାର ଲୋକଙ୍କ ନାମରେ ରୁଜ୍ଜୁ ହୋଇଥିଲା | ଏହି ମାମଲାକୁ ମିଥ୍ୟା ଦର୍ଶାଇ ତାଙ୍କ ନାମରେ ଥିବା ମାମଲାକୁ ସମ୍ପୂର୍ଣ୍ଣ ଖାରଜ କରିବା ପାଇଁ ଏଏସଆଇ ପୃଥ୍ୱୀରାଜ ମିଶ୍ର ମିହିରଙ୍କ ଠାରୁ ଲାଞ୍ଚ ଦାବି କରିଥିଲେ। ଜାନୁଆରୀରେ 3 ହଜାର ଟଙ୍କା, ମାର୍ଚ୍ଚ ମାସରେ ଆଉ 2 ହଜାର ଦେବା ପରେ ପୁନର୍ବାର ୭ହଜାର ଟଙ୍କା ଦାବି କରିଥିଲେ ପୃଥ୍ୱୀରାଜ। ଏ ନେଇ ମିହିର କଟକ ଭିଜିଲାନ୍ସ ବିଭାଗ ଦ୍ୱାରସ୍ଥ ହୋଇଥିଲେ | ପୂର୍ବ ଯୋଜନା ମୁତାବକ ଗତକାଲି ସନ୍ଧ୍ୟାରେ ଟଙ୍କା ଦେବା ପାଇଁ ମଧ୍ୟସ୍ଥି ବ୍ରଜକିଶୋରଙ୍କୁ କହିବା ପରେ ଓ ଟଙ୍କା ନେବା ସମୟରେ ପୁର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗ ଟିମ ଉଭୟ ବ୍ରଜକିଶୋର ଓ ପୃଥ୍ୱୀରାଜଙ୍କୁ ମାଡି ବସିଥିଲା।