କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇଲେ ଜଣେ ଯୁବକ | ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ପ୍ରକାଶ ମିଶ୍ର ନାମକ ଜଣେ ବ୍ୟକ୍ତି | ଜିଲ୍ଲାପାଳଙ୍କୁ ସାକ୍ଷାତ କରାଇ ଦେବାକୁ କହି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ଜଣେ କର୍ମଚାରୀ ତାଙ୍କଠାରୁ ୨୦୦୦ ଟଙ୍କା ଲାଞ୍ଚ ନେଇଥିବା ସେ ଅଭିଯୋଗ କରିଛନ୍ତି ।
ଯୁବକଙ୍କ ଅଭିଯୋଗ ଅନୁଯାୟୀ, କ୍ୟାନସରରେ ପିଡିତ ନିଜ ପୁଅର ଚିକିତ୍ସା ପାଇଁ ସରକାରୀ ସହାୟତା ପାଇବା ସକାଶେ ସେ ଅନେକଥର ଜିଲ୍ଲାପାଳଙ୍କୁ ଭେଟିବାକୁ ଆସି ଫେରିକି ଯାଉଥିଲେ | ହେଲେ ତାଙ୍କୁ ଭେଟ କରିପାରୁନଥିଲେ | ଫଳରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ସହାୟତା ଲୋଡିଥିଲେ । ଜିଲ୍ଲାପାଳଙ୍କୁ ସାକ୍ଷାତ କରାଇ ଦେବାକୁ କହି କର୍ମଚାରୀ ଜଣଙ୍କ ତାଙ୍କଠାରୁ ୨୦୦୦ ଟଙ୍କା ଲାଞ୍ଚ ନେଇଥିଲେ | ଏ ସବୁ ଘଟଣା ପ୍ରକାଶ ମିଶ୍ର ତାଙ୍କ ମୋବାଇଲରେ ରେକର୍ଡ କରିଥିଲେ | ହେଲେ କର୍ମଚାରୀ ଜଣଙ୍କ ଏହା ଜାଣିବା ପରେ ପ୍ରକାଶଙ୍କଠାରୁ ତାଙ୍କ ମୋବାଇଲ ଛଡାଇ ନେଇଯାଇଛନ୍ତି । ଏହି ଅଭିଯୋଗ କରିବାକୁ ପ୍ରକାଶ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । କିନ୍ତୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କ ଅଭିଯୋଗ କେହି ଶୁଣିନଥିଲେ | ଫଳରେ ସେ ନିରାଶ ହୋଇ ଉପଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇଥିବା କହିଛନ୍ତି | ଜିଲ୍ଲାପାଳ ମୋ ଅଭିଯୋଗ ନଶୁଣିଲା ପର୍ଯ୍ୟନ୍ତ ଉଠିବି ନାହିଁ ବୋଲି କହୁଥିବା ଦେଖିବାକୁ ମିଳିଛି |