ଦୀର୍ଘ ୭ ବର୍ଷ ହେଲାଣି ଚାଲିଛି ଜଟଣୀ ଫ୍ଲାଏଓଭର କାମ | କିନ୍ତୁ ଶେଷ ହେଉନାହିଁ କାମ | ସେପଟେ ଫ୍ଲାଏଓଭର କାମ ଯୋଗୁ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକେ | ଆଜି ଫ୍ଲାଏଓଭର କାମ ତଦାରଖ କରିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ | ଏହି ଅବସରରେ ସାଂସଦ ବିଭାଗୀୟ ଅଧିକାରୀ, ରେଲୱେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ | ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଫ୍ଲାଏଓଭର କାମ ଶେଷ ହେବା ସହ ଉଦଘାଟନ ହେବ ବୋଲି ଅପରାଜିତା କହିଛନ୍ତି I
ଜଟଣୀ ସୀତାରାମ ଛକରେ ଥିବା ଭୂତଳ ରାସ୍ତାରେ ଗମନାଗମନର ଅସୁବିଧା ହେବାରୁ ବହୁ ପ୍ରତିବାଦ ପରେ ସରକାର ୨୦୧୩ – ୧୪ ଆର୍ଥିକ ବର୍ଷରେ ଜଟଣୀରେ ଫ୍ଲାଏ ଓଭର ନିର୍ମାଣ ପାଇଁ ଯୋଜନା କରି କାମ ଆରମ୍ଭ କଲେ। ଜଟଣୀ – ପିପିଲି ମୁଖ୍ୟ ରାସ୍ତାର ଆନ୍ଧ୍ର ବ୍ୟାଙ୍କ ଛକଠାରୁ କୁଦିଆରି ଚିତ୍ରାଳୟ ଛକ ପର୍ଯ୍ୟନ୍ତ ଫ୍ଲାଏ ଓଭର ନିର୍ମାଣ କାମ ଆରମ୍ଭ ହୋଇଥିଲା। ମାତ୍ର କାମ ଏ ପର୍ଯ୍ୟନ୍ତ ୭୦ ପ୍ରତିଶତ ଶେଷ ହୋଇଛି। ଦିର୍ଘ ସାତ ବର୍ଷ ଧରି କଚ୍ଛପ ଗତିରେ ଚାଲିଛି କାମ । ସେପଟେ ଉଠା ଦୋକାନୀଙ୍କ ପାଇଁ ଏ ପର୍ଯ୍ୟନ୍ତ ଥଇଥାନ ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି। ଫ୍ଲାଏ ଓଭର କାର୍ଯ୍ୟ ଯୋଗୁ ଅନେକ ସମୟରେ ସୀତାରାମ ଛକ ଜାମ୍ ରହୁଛି |
ଏପ୍ରିଲ ୧ ସୁଦ୍ଧା ଜଟଣୀ ଫ୍ଲାଏ ଓଭର ଉଦଘାଟନ ହେବ ବୋଲି ପୂର୍ବରୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ | କିନ୍ତୁ କାମ ଶେଷ ହୋଇପାରିଲା ନାହିଁ | ତେବେ ଆଗକୁ ଦେଖିବାକୁ ବାକି ରହିଲା କେବେ ଉଦଘାଟନ ହେଉଛି ଜଟଣୀ ଫ୍ଲାଏ ଓଭର ବ୍ରିଜ୍ I