ବିଚାରକ ଭାବେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ | ୭୫ ତମ ଅର୍ନ୍ତଜାତୀୟ ସିନେମା ଫେଷ୍ଟିଭାଲ ‘କାନ୍ସ’ରେ ଦୀପିକା ବିଚାରକ ମଣ୍ଡଳୀ ତାଲିକାରେ ହୋଇଛନ୍ତି ସାମିଲ | ଅର୍ନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାର ୮ ଜଣ ବିଚାରକ ମଣ୍ଡଳୀ ମଧ୍ୟରେ ସାମିଲ ହୋଇଛନ୍ତି ଦୀପିକା । ପୂର୍ବରୁ ଦୀପିକା ଅନେକ ସମାରୋହର ରେଡ କାର୍ପେଟ୍ରେ ନିଜର ଜଲୱା ଦେଖାଇ ସାରିଛନ୍ତି । ତେବେ କାନ୍ସ ଫେଷ୍ଟିଭାଲରେ ଜୁରି ଭାବେ ମନୋନୀତ ହେବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି | ଏହି ଫେଷ୍ଟିଭାଲ୍ ୧୭ ମଇରୁ ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଚାଲିବ ।
ଏହି ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ଭାବେ ଫ୍ରାନ୍ସିସ ଅଭିନେତା ବିସେଣ୍ଟ ଲିଣ୍ଡନ ରହିଛନ୍ତି । କାନ୍ସ ଫେଷ୍ଟିଭାଲରେ ଜୁରି ଭାବେ ମନୋନୀତ ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଦୀପିକା | ଏନେଇ ସେ ନିଜେ ଇନଷ୍ଟା ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଜୁରୀର ସମସ୍ତ ଫଟୋ ମଧ୍ୟ ସେୟାର କରିଥିଲେ । ୩୬ ବର୍ଷୀୟା ଦୀପିକା ଏହା ପୂର୍ବରୁ ଜିଓ ମାମି ମୁମ୍ବାଇ ଫିଲ୍ମ ମହୋତ୍ସବର ଚେୟାରମ୍ୟାନ୍ ଥିଲେ | ୨୦୦୭ ମସିହାରେ ହିନ୍ଦୀ ଫିଲ୍ମ ‘ ଓମ୍ ଶାନ୍ତି ଓମ୍ ‘ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହି ଭୂମିକା ପାଇଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ପରେ ସେ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ବାଜିରାଓ ମସ୍ତାନୀ’, ‘ପଦ୍ମାବତ’ ଏବଂ ରାମଲିଲା’ ଏବଂ ‘ପିକୁ’ ଭଳି ଚମତ୍କାର ଫିଲ୍ମରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଅନେକ ଜାତୀୟ ଓ ଅର୍ନ୍ତଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।