ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବୁ | କେହି ବି ପିଠିରେ ପଡିବେନି | ଜଣେ ୱାର୍ଡ ସଭ୍ୟଙ୍କୁ ଏଭଳି ଧମକ ଦେଇଛନ୍ତି ଜଣେ ପୂର୍ବତନ ସରପଞ୍ଚ | ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନ ଲଳିତଗିରି ପଞ୍ଚାୟତରୁ | ଲଳିତଗିରି ପଞ୍ଚାୟତର ଜଣେ ୱାର୍ଡ ସଭ୍ୟ ପୂର୍ବତନ ସରପଞ୍ଚଙ୍କ ନାଁରେ ଆଣିଛନ୍ତି ଏଭଳି ଅଭିଯୋଗ | ତାଙ୍କ ପରିବାର ଭୟଭୀତ ହୋଇପଡିଛନ୍ତି | ଏଭଳି ଅବସ୍ଥାରେ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସାଲେପୁର ଏସଡିପିଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଦାବି କରିଛନ୍ତି |
ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତ 4 ନମ୍ବର ୱାର୍ଡର ସଭ୍ୟ ଡଲି ବେହେରାଙ୍କୁ ପୂର୍ବତନ ସରପଞ୍ଚ ଧମକ ଦେଉଛନ୍ତି | କିଛି ଦିନ ତଳେ ପୂର୍ବତନ ସରପଞ୍ଚ ତାଙ୍କୁ ମାଡ଼ ଦେବା ସହ ଜୀବନରେ ମାରି ଦେବାକୁ ଧମକ ଦେବା ନେଇ ଥାନାରେ ଅଭିଯୋଗ ହୋଇଥିଲା | ପୋଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଚୁପ ହୋଇ ବସିପଡିଥିଲେ | ମାତ୍ର ପୂର୍ବତନ ସରପଞ୍ଚ ପୁନର୍ବାର ଗତକାଲି ରାତିରେ ୱାର୍ଡ ମେମ୍ବରଙ୍କ କବାଟ ବାଡେଇ ଘରେ ପଶିବାକୁ ଉଦ୍ୟମ କରିଥିଲେ | ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ହାଣି ଦେବୁ ବୋଲି ଧମକ ଦେଇଥିଲେ | ଏହି ଘଟଣା ପରେ ପୀଡିତ ଦଳିତ ପରିବାର ଅତ୍ୟନ୍ତ ଭୟଭୀତ ହୋଇ ପଡିଛନ୍ତି | ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ସାଲେପୁର ଏସଡିପିଓଙ୍କୁ ଭେଟି ନିବେଦନ କରିଛନ୍ତି।