ପିସିସି ସଭାପତିଙ୍କ ନୋଟିସର ଜବାବ ଦେଲେ ସୁର । କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ | ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ପୂର୍ବରୁ ଏ ଭଳି ମନ୍ତବ୍ୟ ଦେଇଥିଲେ | କିନ୍ତୁ ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ବୋଲି ସୁର କରିଛନ୍ତି ପ୍ରଶ୍ନ । ନୋଟିସର ଉତ୍ତର ଦେଇଛି, ଆଉ ନିଜ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ ବୋଲି କହିଛନ୍ତି ସୁର ।
ଦଳ ବିରୋଧୀ ମନ୍ତବ୍ୟ ଯୋଗୁ ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ କଂଗ୍ରେସର ସଭାପତି କିଏ ହେବେ ସେ ନେଇ ନବୀନ ପଟ୍ଟନାୟକ ସ୍ଥିର କରନ୍ତି ବୋଲି ସୁର ନିକଟରେ ମନ୍ତବ୍ୟ ଦେଇଥିଲେ । ଆଉ ଏହି ମନ୍ତବ୍ୟ ପରେ ସୁରଙ୍କଠାରୁ ଜବାବ ମାଗିଥିଲେ ପିସିସି ସଭାପତି । ସୁରଙ୍କ ମନ୍ତବ୍ୟ ପାଇଁ ଦଳର ଭାବମୂର୍ତ୍ତି ନଷ୍ଟ ହେଉଛି । ବରିଷ୍ଠ ନେତା ହୋଇ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ ବୋଲି ସୁର ସ୍ପଷ୍ଟୀକରଣ ଦେବାକୁ ନୋଟିସ୍ କରିଥିଲେ ନିରଞ୍ଜନ ।