ଜଣେ ଯୁବକଙ୍କୁ ଅତି ଅମାନୁଷିକ ଭାବେ ଲୁହାଛଡରେ ପିଟି ପିଟି ମାରି ଦେଇଛନ୍ତି | ଏଭଳି ବିଭତ୍ସ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ | ଗତକାଲି ରାତି ପ୍ରାୟ ୧୦ଟାବେଳେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ | ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି | ମୃତକ ଯୁବକ ଜଣଙ୍କ ହେଲେ ମନୋହରପୁର ଗ୍ରାମର ଭାଗ୍ୟଧର ରଣା ( ୩୯ ) | ପୋଲିସ ଘଟଣାର ତଦନ୍ତ କରୁଛି | ଠିକାଦାର କାମକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ୪ଜଣ ଯୁବକ ଏକ କାରରେ ଆସିଥିଲେ । ପରେ ସେମାନେ ଫୋନ ଯୋଗେ ଭାଗ୍ୟଧରଙ୍କୁ ମଦ ପିଇବା ପାଇଁ ଡାକିଥିଲେ | ଭାଗ୍ୟଧର ତାଙ୍କ ସାଙ୍ଗରେ ତରଣୀ ସେନ୍ ଦେହୁରୀଙ୍କୁ ନେଇ ବିଲ ମଝିରେ ଥିବା ପୋଖରୀ ନିକଟକୁ ଯାଇଥିଲେ । ସେହିଠାରେ ଯୁବକମାନେ ମିଶିକି ଭାଗ୍ୟଧରଙ୍କୁ ଲୁହା ଛଡରେ ପ୍ରହାର କରିଥିଲେ | ଫଳରେ ଘଟଣାସ୍ଥଳରେ ଭାଗ୍ୟଧରଙ୍କ ପ୍ରାଣବାୟୁ ଉଡିଯାଇଥିଲା | ଏହା ଦେଖି ତରଣୀସେନ ନିଜକୁ ଜିବନ ବଞ୍ଚାଇବାକୁ ଦୌଡ଼ି ସେଠାରୁ ପଳାଇ ଥିଲେ | ଗାଁକୁ ଯାଇ ହତ୍ୟା ସମ୍ପର୍କରେ ଗ୍ରାମବାସୀ ଓ ପୋଲିସକୁ ଖବର ଦେଇଥିଲେ | ଗ୍ରାମବାସୀ ଓ ପୋଲିସ ସେଠାରେ ପହଂଚିବାର ଦେଖି ଯୁବକମାନେ ଫେରାର ହେଉଥିବା ବେଳେ ପୋଲିସ ୨ ଜଣଙ୍କୁ କାବୁ କରିଛି | ଅନ୍ୟ ୨ ଜଣ କାର୍ ଯୋଗେ ସେଠାରୁ ଫେରାର ହୋଇଯାଇଛନ୍ତି | ପୋଲିସ ଦୁଇ ଅଭିଯୁକ୍ତଙ୍କୁ ପଚରା ଉଚରା ଜାରି ରଖିଛି ଏବଂ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି l