ମନ୍ଦିରରେ ଠାକୁରଙ୍କ ପାଖେ ଲଡୁ କିମ୍ବା ମିଠା ଦ୍ରବ୍ୟ ଭୋଗ ଲାଗିଥାଏ | କେତେକ ସ୍ଥାନରେ ଦେବୀ ମାଙ୍କ ନିକଟରେ ବଳି ବି ଦିଆଯାଇଥାଏ | କିନ୍ତୁ ମନ୍ଦିରରେ ଚାଇନିଜ୍ ଖାଦ୍ୟ ଭୋଗ ଲାଗିବା କଥା କେବେ ଶୁଣିଛନ୍ତି କି ? ଆଜ୍ଞା ହଁ, ଆମ ଦେଶରେ ଏପରି ଏକ ନିଆରା ମନ୍ଦିର ଅଛି, ଯେଉଁଠାରେ ଭଗବାନଙ୍କୁ ଚାଇନିଜ୍ ଖାଦ୍ୟ ଅର୍ପଣ କରାଯାଇଥାଏ | ଏଠାରେ ଭକ୍ତମାନଙ୍କୁ ପ୍ରସାଦ ଭାବରେ ନୁଡୁଲ୍ସ ଦିଆଯାଇଥାଏ |
କୋଲକାତାର ଟଙ୍ଗରା ଅଞ୍ଚଳରେ ଏକ ‘ଚାଇନିଜ୍ କାଳୀ ମନ୍ଦିର’ ଅଛି | ଏହି ଅଞ୍ଚଳ ଚାଇନା ଟାଉନ୍ ଭାବରେ ମଧ୍ୟ ଜଣାଶୁଣା | ଗଳିରେ ଥିବା ଏହି ମନ୍ଦିରଟି ତିବ୍ଦତୀୟ ଶୈଳୀରେ ନିର୍ମାଣ ହୋଇଛି | ଏହି ମନ୍ଦିର ରାସ୍ତାରେ ପୁରୁଣା କୋଲକାତା ଏବଂ ପୂର୍ବ ଏସିଆର ସୁନ୍ଦର ସଂସ୍କୃତିର ଝଲକ ଦେଖିବାକୁ ମିଳେ |
ଏହି ମନ୍ଦିରରେ କେବଳ ଚାଇନିଜ୍ ଖାଦ୍ୟ ଭୋଗ ଲାଗେ ତା ନୁହେଁ, ବରଂ ଏଠାରେ ପ୍ରଜ୍ୱଳିତ ଧୂପକାଠି ମଧ୍ୟ ଚାଇନାରୁ ଆସେ | ତେଣୁ ବାକି ମନ୍ଦିରଠାରୁ ଏହାର ସୁଗନ୍ଧ ସମ୍ପୂର୍ଣ ଭିନ୍ନ | ଜଣେ ବଙ୍ଗୀୟ ପୁରୋହିତ ମନ୍ଦିରରେ ପୂଜାପାଠ କରନ୍ତି | ଖରାପ ଆତ୍ମାକୁ ଦୂରେଇ ରଖିବା ପାଇଁ ସ୍ୱତନ୍ତ୍ର ସମୟରେ ଏଠାରେ ହାତରେ ତିଆରି କାଗଜ ମଧ୍ୟ ପୋଡା ଯାଇଥାଏ |
ମା କାଳୀଙ୍କ ଏହି ମନ୍ଦିରରେ ଚାଇନିଜ୍ ପ୍ରସାଦ ଅର୍ପଣ କରିବା ପଛରେ ଏକ ଚମତ୍କାର କାରଣ ରହିଛି | ଗତ ୬୦ ବର୍ଷ ପୂର୍ବରୁ ଏହି ସ୍ଥାନରେ ମା କାଳୀଙ୍କୁ ଏକ ଗଛ ମୂଳରେ ପୂଜା କରାଯାଉଥିଲା | ପ୍ରାୟ ୨୦ ବର୍ଷ ପୂର୍ବେ ଚାଇନା ଏବଂ ବଙ୍ଗୀୟ ଲୋକଙ୍କ ଦାନରେ ଏହି ମନ୍ଦିର ନିର୍ମିତ ହୋଇଥିଲା |
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବହୁ ବର୍ଷ ପୂର୍ବେ ଜଣେ ଜଣେ ଚାଇନିଜ୍ ବାଳକ ଗୁରୁତର ଅସୁସ୍ଥ ହୋଇପଡିଥିଲା। ଏହି ବାଳକ ଉପରେ କୌଣସି ଚିକିତ୍ସା କାମ କରୁନଥିଲା | ତେଣୁ ପିଲାଟିର ବାପାମା ତାଙ୍କୁ ମାଙ୍କ ନିକଟରେ ସମର୍ପଣ କରି ଗଛ ତଳେ ଶୁଆଇ ଦେଲେ | ପିଲାଟିକୁ ସୁସ୍ଥ କରିବା ପାଇଁ ସେମାନେ ମାଙ୍କ ନିକଟରେ ଗୁହାରି କଲେ | ତେବେ ଚମତ୍କାର ଭାବରେ ବାଳକଟି ସୁସ୍ଥ ହୋଇଗଲା | ଏହା ପରେ ଏହି ମନ୍ଦିର ନିର୍ମାଣ ହେଲା ଏବଂ ଏହି ମନ୍ଦିର ହିନ୍ଦୁ ସମ୍ପ୍ରଦାୟ ସହିତ ଚୀନ୍ ସମ୍ପ୍ରଦାୟ ପାଇଁ ବିଶ୍ୱାସର କେନ୍ଦ୍ରସ୍ଥଳୀରେ ପରିଣତ ହେଲା |
ଯେତେବେଳେ ଚାଇନାର ଲୋକମାନେ ମନ୍ଦିରକୁ ଆସିବା ଆରମ୍ଭ କଲେ, ସେମାନେ ମଧ୍ୟ ନିଜ ସଂସ୍କୃତି ଅନୁଯାୟୀ ମାତା ଦେବୀଙ୍କୁ ଖାଦ୍ୟ ଅର୍ପଣ କରିବା ଆରମ୍ଭ କଲେ | ସେବେଠାରୁ ଏଠାରେ ନୁଡୁଲ୍ସ, ଚପ୍ସ ଇତ୍ୟାଦି ମା’ଙ୍କୁ ଭୋଗ ଆକାରରେ ଦିଆଯିବାକୁ ଲାଗିଲା |