କିଛି ଦୁର୍ବୁତ୍ତ ଲେଡିଜ ହଷ୍ଟେଲରେ ପଶି ଛାତ୍ରୀଙ୍କୁ କଲେ ଅସଦାଚରଣ | ଝରକା ଭାଙ୍ଗି ହଷ୍ଟେଲ କୋଠରୀ ଭିତରେ ପଶି ଅନ୍ତେବାସୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି | ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲରୁ | ଏହି ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି ଉତ୍ତ୍ୟକ୍ତ ଛାତ୍ରୀ | ଅଭିଯୋଗ ପାଇ ଟାଉନ ଥାନା ପୋଲିସ ହଷ୍ଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆଜି ଭୋର ସମୟରେ ୟୁଜିସି ଲେଡିଜ ହଷ୍ଟେଲର ଉପର ମହଲାର ଝରକା ସ୍ଲାଇଡର ଭାଙ୍ଗି କେତେଜଣ ଦୁର୍ବୁତ୍ତ କୋଠରୀ ଭିତରେ ପଶିଥିଲେ | ଅନ୍ତେବାସୀମାନେ ଶୋଇଥିବା ବେଳେ ସେମାନଙ୍କୁ ଅସଦବ୍ୟବହାର କରିଥିଲେ ଦୁର୍ବୁତ୍ତ | କେଵଳ ସେତିକି ନୁହେଁ ଛାତ୍ରୀମାନଙ୍କ ମୋବାଇଲ ଫୋନ, ନଗଦ ଟଙ୍କା ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି। ହଷ୍ଟେଲର ପଛ ପଟ ଅନ୍ଧାର ରହୁଥିବାରୁ ଏବଂ ସେଠାରେ ସିସିଟିଭି କ୍ୟାମେରା ନଥିବାରୁ ଏହି କାଣ୍ଡ ଭିଆଇଛନ୍ତି ଦୁର୍ବୁତ୍ତ | ତେବେ ଦୁର୍ବୁତ୍ତମାନେ ସାଙ୍ଗରେ ଆଣିଥିବା ବ୍ଲେଡ଼ ଛାଡି ଦେଇ ଯାଇଛନ୍ତି। ଏହି ଘଟଣା ପରେ କଲେଜ ଅଧକ୍ଷ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ହଷ୍ଟେଲ ସୁପରିଟେଣ୍ଡେଣ୍ଟକୁ ବଦଳାଇ ଦେଇଛନ୍ତି । ହଷ୍ଟେଲରେ ଅଧିକ ସଂଖ୍ୟାରେ ସିସିଟିଭି କ୍ୟାମେରା ଲଗାଇବା ସହିତ ସୁରକ୍ଷା କର୍ମୀ ଙ୍କ ସଂଖ୍ୟା ବୃଦ୍ଧି ପାଇଁ ଛାତ୍ରୀମାନେ ଦାବି କରିଛନ୍ତି।