କୋମଳମତି ପିଲାଙ୍କ ଭବିଷ୍ୟତ ଗଢିଥାନ୍ତି ଶିକ୍ଷକ | ସେଥିପାଇଁ କୁହାଯାଏ ‘ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର’। କିନ୍ତୁ ଜଣେ ଶିକ୍ଷକ ପ୍ରତିଦିନ ମଦ ପିଇ ସ୍କୁଲକୁ ଆସୁଛନ୍ତି | ଶିକ୍ଷକ ମାତାଲ ଅବସ୍ଥାରେ ଠିକ ଭାବେ ଚାଲି ପାରୁନଥିବା ବେଳେ କଥା ବି ଠିକ ଭାବେ କହିପାରୁନାହାନ୍ତି | ତେବେ ସେ ପିଲାଙ୍କୁ କିଭଳି ଶିକ୍ଷାଦାନ କରୁଥିବେ ତାହା ସହଜରେ ଅନୁମେୟ | ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
କାମାଖ୍ୟାନଗର ବ୍ଲକ କଣ୍ଟାପାଳ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିକ୍ରମ କୁମାର ବେହେରା | ସେ ସବୁଦିନ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିବା ନେଇ ଅଭିଯୋଗ ହୋଇଥିଲା | ସ୍କୁଲର ପରିଚାଳନା କମିଟି ଅଧକ୍ଷ ମଦ୍ୟପାନ କରି ସ୍କୁଲକୁ ନ ଆସିବା ପାଇଁ ଶିକ୍ଷକଙ୍କୁ ତାଗିଦ କରିଥିଲେ | ଏହା ସତ୍ୱେ ବି ଆଜି ସକାଳେ ଶିକ୍ଷକ ପୁଣି ମଦ୍ୟପାନ କରି ସ୍କୁଲକୁ ଆସିଥିଲେ | ମାତାଲ ଅବସ୍ଥାରେ ଶିକ୍ଷକ ବିଦ୍ୟାଳୟରେ ପ୍ରବେଶ କରୁକରୁ ସ୍କୁଲ ଗେଟରେ ପିଟି ହୋଇଥିଲେ | ଏହା ଦେଖି ପରିଚାଳନା କମିଟି ସଦସ୍ୟ ତାଙ୍କୁ କାବୁ କରି ପଚରାଉଚରା କରିଥିଲେ। ନିଶାସକ୍ତ ଅବସ୍ଥାରେ ଧରା ପଡ଼ିବା ପରେ ସାର୍ ସଫେଇ ଦେଇ କହିଥିଲେ- ଆଜି ମୁଁ ଛୁଟିରେ ଅଛି, ଚାଉଳ ଓ କାଠ ଦେବାକୁ ସ୍କୁଲ ଆସିଛି। ତେବେ ଶିକ୍ଷକ ସ୍କୁଲକୁ ମଦ୍ୟପାନ କରି ଆସୁଥିବାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବାକୁ ଭୟ କରୁଛନ୍ତି | ଅନ୍ୟପକ୍ଷେ ପ୍ରଧାନଶିକ୍ଷକଙ୍କୁ ରିପୋର୍ଟ ମଗାଯାଇଛି, ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କାମାକ୍ଷାନଗରର ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ଜେନା |