ପାପ ସମ୍ପର୍କ ରଖିବାକୁ ବୋହୂକୁ ବାଧ୍ୟ କରୁଛନ୍ତି ଶ୍ୱଶୁର | ଏଥିରେ ବୋହୂ ରାଜି ନ ହେବାରୁ ତାଙ୍କ ଉପରେ କରୁଛନ୍ତି ନିର୍ଯାତନା | ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳର ଜଣେ ବିବାହିତା ମହିଳା | ମହିଳା ଜଣକ ତାଙ୍କ ଶ୍ୱଶୁର, ଶାଶୁ, ସ୍ୱାମୀ ଏବଂ ଗାଁର ଦୁଇଜଣ ଵ୍ୟକ୍ତିଙ୍କ ବିରୋଧରେ ପାପ ସମ୍ପର୍କର ଅଭିଯୋଗ ଆଣିଛନ୍ତି । । ମହିଳା ଜଣକ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କୁ ଭେଟି ଏସପିଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି |
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ରାଜସ୍ଥାନରେ ଚାକିରୀ କରନ୍ତି । ଘରେ ରୁହନ୍ତି ତାଙ୍କର ଦୁଇ ପିଲା ଓ ଶାଶୁ ଶ୍ୱଶୁର । ତେବେ ତାଙ୍କ ସ୍ୱାମୀ ବାହାରେ ରହୁଥିବାରୁ ଶ୍ୱଶୁର ତାଙ୍କ ସହିତ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି । ଏ ସମ୍ପର୍କରେ ସେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ । ପରେ ଗ୍ରାମବାସୀମାନଙ୍କ ସହାୟତାରେ ଆପୋଷ ସମାଧାନ କରାଯାଇଥିଲା । ଏହାପରେ ପୁଣି ଶ୍ୱଶୁର ତାଙ୍କୁ ଆକ୍ରମଣ କରିବାରୁ ସେ ଶାଶୁଙ୍କ ନିକଟରେ ଅଭିଯୋଗ କରିଥିଲେ । ଶାଶୁ କିଛି ନ ବୁଝିବାରୁ ସେ ତାଙ୍କ ସ୍ୱାମୀଙ୍କ ପାଖକୁ ରାଜସ୍ଥାନ ଚାଲିଯାଇଥିଲେ । ସେଠାରେ ତାଙ୍କ ସ୍ୱାମୀ ଅନ୍ୟ ଝିଅମାନଙ୍କ ସହିତ ଖରାପ ସମ୍ପର୍କ ରଖୁଥିବା ଦେଖି ସେ ବିରୋଧ କରିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ତାଙ୍କ ସାଙ୍ଗମାନଙ୍କ ସହିତ ତାଙ୍କୁ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ସେ ରାଜି ନ ହେବାରୁ ସ୍ୱାମୀ ମଧ୍ୟ ମାରପିଟ କରିଥିଲେ । ସ୍ୱାମୀଙ୍କ ଯନ୍ତ୍ରଣା ସହିନପାରି ସେ ରାଜସ୍ଥାନ ଛାଡି ଏବେ ତାଙ୍କର ମାଉସୀ ଘରେ ରହୁଛନ୍ତି । ତାଙ୍କ ପିଲା ଦୁଇ ଜଣଙ୍କୁ ଶ୍ୱଶୁର ଘରେ ରଖିଥିବା ବେଳେ ତାଙ୍କୁ ଘରେ ପୂରାଉ ନାହାନ୍ତି । ତାଙ୍କର ପର ପୁରୁଷ ସହିତ ସମ୍ପର୍କ ଥିବା ନେଇ ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କ ସହାୟତାରେ ୟୁଟ୍ୟୁବ୍ ରେ ଭିଡିଓ ଭାଇରାଲ କରିଥିବା ମହିଳା ଜଣକ ଅଭିଯୋଗପତ୍ର ଦର୍ଶାଇଛନ୍ତି |