ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ର ନାଥ ଦାସଙ୍କ ପରଲୋକ । ୭୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବୀନ୍ଦ୍ରନାଥଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଇନ୍ଦିରା ଦାସ, ଝିଅ ଲିପିକା, ଜ୍ୱାଇଁ ମନୋରଞ୍ଜନ ଏବଂ ପୁଅ ଆକାଶଙ୍କ ସମେତ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ | ଶ୍ରୀ ଦାସଙ୍କ ନୂଆପଲ୍ଲୀସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ | ପରେ ତାଙ୍କ ପ୍ରାର୍ଥିବ ଶରୀରକୁ ସଂସ୍କୃତି ଭବନକୁ ନିଆଯାଇଥିଲା | ସେଠାରେ ମଧ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏବଂ ସାହିତ୍ୟ ଏକାଡେମୀର ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |
ରବୀନ୍ଦ୍ରନାଥଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଅବିସ୍ମରଣୀୟ ଅବଦାନକୁ ମନେ ପକାଇଛନ୍ତି । ଓଡ଼ିଆ ସାହିତ୍ୟ ତଥା କଳା ଜଗତ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ |
୧୯୪୩ ମସିହା ମେ ୧୭ ତାରିଖରେ ଶ୍ରୀ ଦାସ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଧୀନ ପାଇଲୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ | ଘରେ ପଢ଼ାଯାଉଥିବା ଭାଗବତ ଗୀତା ଏବଂ ପୁରାଣ ଶୁଣି ଶୁଣି ସେ ପିଲାଟି ଦିନୁ ଲେଖା ଲେଖି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ | ଅଷ୍ଟମ ଶ୍ରେଣୀରେ ପଢିବା ବେଳେ ତାଙ୍କର ପ୍ରଥମ ଗଳ୍ପ ପ୍ରକାଶ ପାଇଥିଲା | ରେଭେନ୍ସାରୁ ଉଚ୍ଚ ଶିକ୍ଷାଲାଭ ପରେ ସେ ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ | ତେବେ ସେ ଗଳ୍ପ ଉପନ୍ୟାସ ଲେଖୁଥିଲେ ମଧ୍ୟ ଜଣେ ନାଟ୍ୟକାର ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ |
ତାଙ୍କ ଲିଖିତ ‘ବିଷର୍ଣ୍ଣ ପୃଥିବା’ ପାଇଁ ତାଙ୍କୁ ୧୯୭୯ରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କୃତ କରାଯାଇଥିଲା । ତାଙ୍କ ଲିଖିତ ‘ଅନେକ ଯନ୍ତ୍ରଣା, ମୁଖବନ୍ଧ , ନିଃସଙ୍ଗ ଅଶ୍ଵାରୋହୀ, ନିର୍ବାସିତ ସମ୍ରାଟ ଆଦି ଅନେକ ଉପନ୍ୟାସ ଦର୍ଶକଙ୍କ ଆଦୃତି ଲାଭ କରିଥିଲା | ତେବେ ଜଣେ ପ୍ରୟୋଗଵଦୀ ନାଟ୍ୟକାର ଭାବେ ସେ ବେଶ ସୁନାମ ଅର୍ଜନ କରିଥିଲେ | ଶ୍ରୀ ଦାସ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର ମଧ୍ୟ ଥିଲେ |