ହାତରେ ବହି ଖାତା ବଦଳରେ ପ୍ଲାକାର୍ଡ। ଶ୍ରେଣୀ ଗୃହ ଛାଡ଼ି ରାସ୍ତାରେ ଛାତ୍ରଛାତ୍ରୀ। ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଅନଶନରେ ବସିଲେ ଛାତ୍ରଛାତ୍ରୀ । ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବାହାବଳପୁର ଅଞ୍ଚଳର। ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ବାହାବଳପୁର ଅଞ୍ଚଳର ସ୍ଥାନୀୟ କାନନେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ପୂର୍ବରୁ ମହାମାରୀ କରୋନା ପାଇଁ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମାତ୍ର ଏବେ ସ୍କୁଲ ଖୋଲିବା ପରେ ଶିକ୍ଷକ ନଥିବାରୁ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ। ତେଣୁ ତୁରନ୍ତ ଏହି ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନିଯୁକ୍ତି କରିବାକୁ ଛାତ୍ରଛାତ୍ରୀମାନେ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନକୁ ଗ୍ରାମବାସୀ ଓ ସ୍ଥାନୀୟ ଜନ ପ୍ରତିନିଧି ସମର୍ଥନ ଜଣାଇଛନ୍ତି |
ଅଭିଯୋଗ ମୁତାବକ ୧୯୬୪ ମସିହାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା | ଏଠାରେ ବର୍ତମାନ ୧୩୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ତେବେ ଗତ ୨ ମାସ ତଳେ ଏହି ବିଦ୍ୟାଳୟର ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ଗଣିତ ଶିକ୍ଷା ଲାଭ କରିବାରୁ ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଭାବକ ଓ ସ୍ଥାନୀୟ ଜନ ପ୍ରତିନିଧି ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ବାଧ୍ୟହୋଇ ଆଜି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ପ୍ରଥା ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ | ସେପଟେ ଏହାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ।