ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣା। ଆସିଲା ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ। ଅଲେଖ ସାହୁଙ୍କ ସମେତ ତାଙ୍କ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ବିଷକ୍ରିୟା ଯୋଗୁଁ ନୁହେଁ ବରଂ ହତ୍ୟାକାଣ୍ଡରେ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି | ମୃତକଙ୍କ ଶରୀରର ଏକାଧିକ ସ୍ଥାନରେ ରହିଛି କ୍ଷତ ଚିହ୍ନ । ସମସ୍ତଙ୍କୁ ଜୋର୍ ଜବରଦସ୍ତ ଭାବେ ଆଘାତ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଭିସରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ। କଟକ ଜିଲ୍ଲା ଏସପି ଯୁଗଳ କିଶୋର ବନୋଥ ଏହି ସୂଚନା ଦେଇଛନ୍ତି । ହେଲେ ଜଣେ ବ୍ୟକ୍ତି କିପରି ୫ ଜଣଙ୍କୁ ହାଣି ସେମାନଙ୍କ ଜୀବନ ନେଲା ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପ୍ରଥମେ ବିଷ ଦେଇ ମାରିବା ପରେ ଅଲେଖଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଥିଲା | କିନ୍ତୁ ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସନ୍ଦେହ ଦୂର ହୋଇଛି | ସମସ୍ତଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସମସ୍ତଙ୍କୁ ହତ୍ୟା କରାଯାଇଥିବା କଟକ ଗ୍ରାମାଞ୍ଚଳ ଥାନା ପୋଲିସ୍ ସୂଚନା ଦେଇଛନ୍ତି ।
ସାମାନ୍ୟ ଜମିବାଡ଼ି ବିବାଦରୁ ମାହାଙ୍ଗା କୁସୁପୁରରେ ଗତ ୧୧ ତାରିଖ ବିଳମ୍ୱିତ ରାତିରେ ଘଟିଥିଲା ନରସଂହାର । ବଡ଼ ଭାଇର ପୂରା ପରିବାରକୁ ନିପାତ କରିଦେଇଥିଲା ସାନ ଭାଇ ଶିବ ସାହୁ। ଏହି ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।