ପୁଣି ଦେଖିବାକୁ ମିଳିଛି ଲାଲବାହିନୀର ବର୍ବରକାଣ୍ଡ | ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଛି ଭୀଷଣ ଗୁଳି ବିନିମୟ | ସୁରକ୍ଷା ବାହିନୀର ଏକ କ୍ୟାମ୍ପ ଉପରେ ନକ୍ସଲ ମାନେ ଆକ୍ରମଣ କରିବାରୁ ୪ ଯବାନ ଆହତ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାଯାଇଛି |
ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାର କୁଟରୁ ଥାନା ଅନ୍ତର୍ଗତ ଦରଭା କ୍ୟାମ୍ପ ଉପରେ ନକ୍ସଲମାନେ ହଠାତ୍ ଆଖିବୁଜା ଗୁଳି ଚଳାଇଥିଲେ । କ୍ୟାମ୍ପ ଉପରେ ନକ୍ସଲମାନଙ୍କ ପକ୍ଷରୁ ବିଜିଏଲ୍ ବୋମା ମଧ୍ୟ ମାଡ କରାଯାଇଛି। ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ଚାରି ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ଆହତ ମାନେ ହେଲେ ହେଡ କନେଷ୍ଟବଳ ତୁକେଶ୍ଵେର ଧୃବ, ଜିତେନ୍ଦ୍ର ମାଣ୍ଡାବି , ଆଶ୍ରିତ ବଟ୍ଟି ଏବଂ ଓମ ପ୍ରକାଶ ଦିୱାନ | ତୁରନ୍ତ ଗୁରୁତର ଯବାନଙ୍କୁ ଏମଆଇ-୧୭ ହେଲିକପ୍ଟର ଯୋଗେ ରାମ କୃଷ୍ଣ କେୟାର ହସ୍ପିଟାଲ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ଯବାନ ହେଲେ ତୁକେଶ୍ୱର ଏବଂ ଜିତେନ୍ଦ୍ର ମଣ୍ଡାବି। ଏହା ସହିତ ଜିଲ୍ଲା ଡାକ୍ତରଖାନାରେ ଅନ୍ୟ ୨ ଯବାନଙ୍କ ଚିକିତ୍ସା ଚାଲିଛି। ଅନ୍ୟପକ୍ଷେ ସୁରକ୍ଷାବାହିନୀର ପକ୍ଷରୁ ଜୋରଦାର ଆକ୍ରମଣ କରାଯିବାରୁ ନକ୍ସଲମାନେ ଭୟଭୀତ ହୋଇ ସେଠାରୁ ପଳାଇ ଯାଇଥିବା ସୂଚନା ମିଳିଛି |