ମାହାଙ୍ଗା କାଳ ରାତିର ଲୋମଟାଙ୍କୁରା କାହାଣୀ କହିଲା ଅଭିଯୁକ୍ତ | ଗଣହତ୍ୟାର ଡେମୋ ଦେଖାଇଲା ଅଭିଯୁକ୍ତ | କିଭଳି ୫ ଜଣଙ୍କୁ ମାରିଥିଲା ପୋଲିସ ଆଗରେ ବଖାଣିଲା ଶିବ | ୪୫ ମିନିଟି ଧରି ସେଦିନର ପୁରା କାହାଣୀକୁ ପୋଲିସ ଆଗରେ ଡେମୋ କରି ଦେଖାଇଛି ଶିବ ପ୍ରସାଦ ସାହୁ । କୁସୁପୁର ଗଣହତ୍ୟା ଘଟଣା ଉପରୁ ପରଦା ହଟେଇବା ପାଇଁ ଅଭିଯୁକ୍ତ ଶିବ ପ୍ରସାଦ ସାହୁଙ୍କୁ ଧରି ଆଜି ପୋଲିସ ପହଞ୍ଚିଥିଲା ଘଟଣାସ୍ଥଳରେ | ହତ୍ୟାକାରୀ ଶିବଠାରୁ ସେହି କାଳ ରାତିର ଲୋମହର୍ଷଣକାରୀ କାହାଣୀ ଜାଣିବାକୁ ଚେଷ୍ଟା କରୁଛି ପୋଲିସ | କେମିତି ଏଭଳି ଜଘନ୍ୟକାଣ୍ଡ ଭିଆଇଲା ଜଲ୍ଲାଦ ଶିବ | କାହିଁକି ବଡ଼ଭାଇ ଅଲେଖ ସାହୁର ପୁରା ପରିବାରକୁ ନିପାତ କରିଦେଲା ସାନଭାଇ | କଟୁରୀ ଚୋଟରେ ଜଣକ ପରେ ଜଣେ, ଏମିତି ପାଞ୍ଚ ପାଞ୍ଚ ଜଣକୁ ଗୋଟିଏ ଘର ଭିତରେ କେମିତି କାଟି ପକେଇଲା | ସମ୍ପତ୍ତି ବିବାଦର ପ୍ରତିଶୋଧ ନେବାକୁ ପଣ କରିଥିବା ଶିବ କିଭଳି ରକ୍ତମୁଖା ପାଲଟି ଯାଇଥିଲା | ଅଭିଯୁକ୍ତ ଠାରୁ ଏ ସବୁର ସତ ଓଗାଳୁଛି ପୋଲିସ |ଯେଉଁ ଘରେ ଘଟିଥିଲା ଏହି ନାରକୀୟ ହତ୍ୟାକାଣ୍ଡ ସେହି ଜାଗାରେ ଶିବ ଦେଖାଉଛି ଡେମୋ |
ଶିବର ସୈତାନ ପାଲଟି ଯାଇଥିବା ରୂପ ଦେଖିବାକୁ ଭିଡ ଜମାଇଛନ୍ତି ଶତାଧିକ ଦେଖଣାହାରୀ | ଏସବୁ ଘଟଣାର ଆମୁଳଚୂଳ ଦୃଶ୍ୟ ପୋଲିସ ସାମ୍ନାରେ ବର୍ଣ୍ଣନା କରୁଛି ଶିବ ପ୍ରସାଦ | ଶିବ କିପରି ଏହି ହତ୍ୟା କଲା, ସେତେବେଳେ ଆଉ କିଏ ଏସବୁ ଘଟଣା ଦେଖିଥିଲେ କି, ଏସବୁ ବାବଦରେ ଗୋଟିଗୋଟି କରି ବୟାନ ଦେଇଛି ଅଭିଯୁକ୍ତ | ତେବେ ସେ ଏକୁଟିଆ ନିଜ ବଡ଼ଭାଇ ପରିବାର ଉପରେ ପ୍ରତିଶୋଧ ନେବାକୁ ଏହି ଜଘନ୍ୟ କାଣ୍ଡ ଭିଆଇଥିବା ବୟାନ ଦେଇଛି | କ୍ରାଇମ୍ ସିନ୍ ରିକ୍ରିଏସନ୍ ସମୟରେ ଘଟଣାସ୍ଥଳରେ ଏସଡିପିଓ ଓ ମାହାଙ୍ଗା ଥାନା ଅଧିକାର ଉପସ୍ଥିତ ରହିଥିଲେ । ସୁରକ୍ଷା ଦୃଷ୍ଟିରୁ ଗାଁରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ ।
ସୂଚନା ଅନୁସାରେ, ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ମାହାଙ୍ଗା ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ତାର ମେଡିକାଲ ଟେଷ୍ଟ କରାଯିବା ପରେ ତାକୁ ପୋଲିସ ହତ୍ୟା ଘଟଣା ସମ୍ପର୍କରେ ପଚରାଉଚୁରା ଆରମ୍ଭ କରିଛି । ତେବେ ପୋଲିସ ତାକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସାଲେପୁର ବିଚାର ବିଭାଗୀୟ ଅଦାଲତରେ ଆବେଦନ କରିଥିଲେ ମଧ୍ୟ ଅଦାଲତ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ପୋଲିସ ରିମାଣ୍ଡରେ ଆଣିବା ପରେ ସେ ସବୁ ସତ କଥା ମାନିଥିବା ସୂଚନା ମିଳିଛି । ଏପରିକି ଭାଇ ଅଲେଖ ସାହୁ ପରିବାରର ୫ ଜଣଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ପରେ ସେମାନଙ୍କ ଶିରା କାଟିଥିବା ସ୍ୱୀକାର କରିଛି । ଶୋଇଥିବା ଅବସ୍ଥାରେ ସମସ୍ତଙ୍କୁ ହତ୍ୟା କରିଥିବା କହିଛି ଅଭିଯୁକ୍ତ ଶିବପ୍ରସାଦ ସାହୁ।