ଥମିବାର ନାଁ ନେଉନି ଋଷ-ୟୁକ୍ରେନ ଯୁଦ୍ଧ । ୫୧ ଦିନରେ ପହଞ୍ଚିଲା ଯୁଦ୍ଧ | ତେବେ ୟୁକ୍ରେନ ସହ ଯୁଦ୍ଧ କରିବା ରୁଷକୁ ପଡିଛି ମହଙ୍ଗା | ବ୍ଲାକ୍ ସି’ରେ ଋଷର ଶକ୍ତିଶାଳୀ ମିସାଇଲ ଗାଇଡେଡ କ୍ରୁଜ ମୋସ୍କଭା ଯୁଦ୍ଧ ଜାହାଜରେ ନିଆଁ ଲାଗି ପାଣିରେ ବୁଡି ଯାଇଛି | ଦୁଇଟି ମିସାଇଲ ମାଡ଼ରେ ଋଷର ଏହି ଯୁଦ୍ଧ ଜାହାଜକୁ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ । ନେପଚ୍ୟୁନ କ୍ରୁଜ୍ କ୍ଷେପଣାସ୍ତ୍ର ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ୟୁକ୍ରେନ କହିଛି |
ଯୁଦ୍ଧ ଜାହାଜ ନଷ୍ଟ ହୋଇଯାଇଥିବା ଋଷ ସ୍ୱୀକାର କରିଛି। କିନ୍ତୁ ଏହାର କାରଣ ଅନ୍ୟ ପ୍ରକାର କୁହାଯାଇଛି | ଅପରେସନ ବେଳେ ଏହି ଯୁଦ୍ଧ ଜାହାଜଟି କ୍ଷତି ଗ୍ରସ୍ତ ହୋଇଥିଲା। ଫଳରେ ଏହା ସମୁଦ୍ରରେ ବୁଡ଼ି ଯାଇଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗୁଳିଗୋଳା ବିସ୍ଫୋରଣ ଯୋଗୁ ଜାହାଜରେ ନିଆଁ ଲାଗି ଯାଇଥିଲା ଓ ଏହା କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଜାହାଜଟି ବ୍ଲାକ ସି’ରେ ବୁଡ଼ି ଯାଇଛି। ଏହି ଘଟଣା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆହୁରି ଭୟଙ୍କର ହୋଇପାରନ୍ତି ଋଷ ରାଷ୍ଟ୍ରପତି । ମୋସ୍କଭା ଯୁଦ୍ଧପୋତ ସମୁଦ୍ର ଭିତରେ ଜଳୁଥିବାବେଳେ ଦୁନିଆରେ ବିଶ୍ୱ ଯୁଦ୍ଧର ଆଶଙ୍କା ଆହୁରି ଘନେଇବାରେ ଲାଗିଛି ।
ମିଜାଇଲ କ୍ରୁଜର ଜ୍ଞାନକୌଶଳ ଋଷ ପ୍ରଥମେ ୧୯୭୯ରେ ଲଞ୍ଚ କରିଥିଲା । ଏଥିରେ ୧୬ଟି ଆଣ୍ଟି ସିପ୍ ମିସାଇଲ ସହ ଏୟାର ଡିଫେନ୍ସ ମିସାଇଲ, ଟରପିଡୋଜ୍ ଓ ଅନ୍ୟ ମାରଣାସ୍ତ୍ର ସଂଲଗ୍ନ କରାଯାଇଥିଲା । ଋଷର ଏହି ଯୁଦ୍ଧ ପୋତ ବ୍ଲାକ୍ ସି ଫ୍ଲିଟରେ ସାମିଲ ହୋଇଥିଲା । ଗତ ଫେବୃଆରୀ ମାସରୁ ଏହି ଯୁଦ୍ଧପୋତକୁ ୟୁକ୍ରେନ ବିରୋଧରେ ମୁତୟନ କରିଥିଲା ଋଷ ।