ଫିଟୁଛି ଆବାସ ଯୋଜନା ଦୁର୍ନୀତି ଗୁମର | ଘର ଆସୁଛି ଜଣଙ୍କ ନାଁରେ କିନ୍ତୁ ଘର ପାଉଛନ୍ତି ଆଉ ଜଣେ । ଏ ନେଇ ଅଭିଯୋଗ ହେଲା ପରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଏବେ ପଦାକୁ ଆସୁଛି । ଢେଙ୍କାନାଳ ଜିଲ୍ଲା ଦଶୀପୁର ପଞ୍ଚାୟତରେ ହୋଇଥିବା ଆବାସ ଘର କେଳେଙ୍କାରୀ ଘଟଣା ଉପରେ ବ୍ଲକ ତରଫରୁ ଆରମ୍ଭ ହୋଇଛି ତଦନ୍ତ | ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଏହା ଉପରେ ବ୍ଲକକୁ ମାଗିଛନ୍ତି ରିପୋର୍ଟ | ଯାହାକୁ ନେଇ ଆଜି କଙ୍କଡାହାଡ଼ ବ୍ଲକ ପ୍ରଶାସନ ତରଫରୁ ଏକ ଟିମ ଦଶୀପୁର ଗାଁକୁ ଯାଇ ତଦନ୍ତ କରିଛନ୍ତି ।
ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ବାସ୍ତବରେ ପ୍ରକୃତ ହିତାଧିକାରୀ ଏହାର ସୁଫଳ ପାଇପାରୁନାହାଁନ୍ତି । ପଞ୍ଚାୟତ ସ୍ତରରେ ଦୁର୍ନୀତି ଯୋଗୁ ଗରିବ ଲୋକଟି ଘର ଖଣ୍ଡେ ପାଇପାରୁନାହାଁନ୍ତିି । ଘର ଆସୁଛି ଜଣଙ୍କ ନାଁରେ କିନ୍ତୁ ଘର ପାଉଛନ୍ତି ଆଉ ଜଣେ । ଏଭଳି ଅଭିଯୋଗ ଆସିଥିଲା ଦଶୀପୁର ପଞ୍ଚାୟତରେ | ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୁରୁଜାଙ୍ଗୁଲି ଗ୍ରାମର ଖଗ ବେହେରାଙ୍କୁ ମିଳିଥିବା ଘର ସମିତି ସଭ୍ୟ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଇଦେଇଥିଲେ । କିନ୍ତୁ ପରେ ପକ୍କା ଘର ମରାମତି ପାଇଁ ରାଜ୍ୟ ସରକାର ପ୍ରଦାନ କରୁଥିବା ଟଙ୍କା ଆସିଥିଲା ଖଗଙ୍କ ନାଁରେ । ଯାହା ପଞ୍ଚାୟତ ସ୍ତରରେ ଆବାସ ଯୋଜନାରେ ହୋଇଥିବା ମହା ଘୋଟାଲାକୁ ସାମ୍ନାକୁ ନେଇ ଆସିଥିଲା । ସେହିଭଳି ଦଶୀପୁର ହରିଜନ ସାହିର ଗିରିଆ ନାଏକ ଜଣେ ବୃଦ୍ଧଙ୍କ ଘର ଅନ୍ୟ ଜଣଙ୍କ ନାଁରେ ଆସିଥିବା ଜଣାପଡିଛି | ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଇଥିବା ଅଭିଯୋଗ କରିଛନ୍ତି ଆବାସ ଯୋଜନାରେ ନାମ ଥାଇ ବଞ୍ଚିତ ହୋଇଥିବା ହିତାଧିକାରୀ ଖଗ ବେହେରା ।
ଖଗ ବେହେରା ଜଣେ ଗରିବ ହରିଜନ ଶ୍ରେଣୀର ବ୍ୟକ୍ତି । କିନ୍ତୁ ତାଙ୍କ ନାଁରେ ଆସିଥିବା ଘରକୁ ଗୁରୁଜାଙ୍ଗୁଲି ଗ୍ରାମର ଜଣେ ସାଧାରଣ ବର୍ଗ ମହିଳାଙ୍କୁ ଦିଆଯାଇଛି । ଘର ବାବଦରେ ୪ ଟି କିସ୍ତିରେ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଇଥିଲା । ଖଗ ବେହେରା ଏବେ ଯେଉଁ ଘରେ ରହୁଛନ୍ତି ସେ ଘରଟି ସମ୍ପୂର୍ଣ୍ଣ ଝାଟି ମାଟିର | ସାମାନ୍ୟ ବର୍ଷା କି ପବନ ହେଲେ ଘରେ ରହିବା ସମ୍ଭବ ହୁଏ ନାହିଁ, ବାଧ୍ୟ ହେଇ ସେ ଅନ୍ୟ ଘରେ ଆଶ୍ରୟ ନିଅନ୍ତି ।ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ । ଦୀର୍ଘ ୫ ବର୍ଷ ହେବ ଖଗ ବହୁବାର ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ଠାରୁ ଆରମ୍ଭ କରିଛି ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନଥିଲା | ୧୫ ଦିନ ମଧ୍ୟରେ ନ୍ୟାୟ ନ ମିଳିଲେ ଜଳ ସମାଧି ଦେବେ ବୋଲି ଖଗ ବେହେରା ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଥିଲେ । ଫଳରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଆଜି ଜିପିଓ ଦିନେସ ମିଶ୍ର, ପିଏ ସୁରେଶ ଚନ୍ଦ୍ର ପଣ୍ଡା,କାର୍ଯ୍ୟନିର୍ବାହୀ ଅଧିକାରୀ ମୁନା ସୁରେନ ଯାଇ ତଦନ୍ତ କରିଛନ୍ତି ।