ଜିଲ୍ଲାପାଳଙ୍କ ଅଫିସ ସମୁଖରେ ଧାରଣାରେ ବସିଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ | ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ଏସଭିଏମ କଲେଜର ଶତାଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ | ଏସଭିଏମ କଲେଜକୁ ଲାଗି ରହିଥିବା ଜମିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଇନଡୋର ଷ୍ଟାଡିୟମ ଓ ସରକାରୀ କ୍ଵାଟର ନିର୍ମାଣକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ |
ପୁରାତନ ଛାତ୍ର ତଥା ଆଇନଜୀବୀ ବାସୁଦେବଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ କଲେଜ ପରିସରରୁ ବାହାରିଥିଲେ | ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାରୀ ନିୟମ ଓ ନୋଟିଫିକେସନ ଅନୁସାରେ କଲେଜର ଉନ୍ନତି ପାଇଁ କଲେଜକୁ ଲାଗି ରହିଥିବା ଜମିଗୁଡିକୁ ସମ୍ପୃକ୍ତ କଲେଜକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଜଗତସିଂହପୁର ଜିଲ୍ଲାରେ ଉକ୍ତ ନିୟମକୁ ଉଲଂଘନ କରାଯାଇ ଉକ୍ତ ଜମିକୁ କଲେଜକୁ ହସ୍ତାନ୍ତର କରିବା ପରିବର୍ତ୍ତେ ପ୍ରଶାସନ ପକ୍ଷରୁ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏହାସହିତ ପ୍ରସ୍ତାବିତ ଜମିରେ ଥିବା ୨୦୦ରୁ ଉର୍ଦ୍ଧ ଗଛ ପ୍ରଶାସନ ପକ୍ଷରୁ କଟାଯିବା ଘଟଣାକୁ ନେଇ ଅସନ୍ତୋଷ ଦେଖାଯାଇଛି । କଲେଜ ସଂଲଗ୍ନ ଜମିକୁ ତୁରନ୍ତ କଲେଜକୁ ଫେରାଇ ଦେବା, ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା, ବେଆଇନ ଭାବରେ ଗଛ କଟାକୁ ବନ୍ଦ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି | ତେବେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି |