ଛାତ ଉପରେ ଯାଇଛି 11 କେଭି ତାର | ଅସାବଧାନତା ଯୋଗୁ ଅନେକ ସମୟରେ ଘଟୁଛି ଦୁର୍ଘଟଣା | ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଜି ଚାଲିଗଲା ୨ ଜୀବନ | କେନ୍ଦ୍ରାପଡା ଜିଲ୍ଲାରେ ବିଦ୍ୟୁତ ଆଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି | ମୃତକମାନେ ହେଲେ ମହାକାଳପଡ଼ା ଥାନା ଅନ୍ତର୍ଗତ କଳପଡ଼ା ଗ୍ରାମର ମହେଶ୍ୱର ମଲିକ ଏବଂ ସଦର ଥାନା ଅନ୍ତର୍ଗତ କାଙ୍କଦିଆ ଗ୍ରାମର ମଳୟ ସ୍ୱାଇଁ |
ଘର ଉପରେ 11 କେଭି ତାର ଯିବାର ନିୟମ ନାହିଁ | କିନ୍ତୁ କେନ୍ଦ୍ରାପଡା ଜିଲାରେ ଘର ଉପରେ ଯାଇଛି ଉଚ୍ଚ କ୍ଷମତାସମ୍ପନ୍ନ 11 କେଭି ତାର | ଉକ୍ତ ତାରକୁ ହଟାଇବା ପାଇଁ ବାରମ୍ବାର ଦାବି ହେଉଥିଲେ ବି ଏହା ଉପରେ ନିଆଯାଉନାହିଁ କାର୍ଯ୍ୟାନୁଷ୍ଠାନ | ତେବେ ଏଠି ପ୍ରଶ୍ନ ଉଠୁଛି ବିଦ୍ୟୁତ ବିଭାଗର ଘରୋଇକରଣ ହୋଇ TPCODL ହାତକୁ ଯାଇସାରିଛି | ଜନସାଧାରଣଙ୍କ ପାଖରୁ ବିଦ୍ୟୁତ ବିଲ ମଧ୍ୟ କଡାଗଣ୍ଡା ଭାବେ ଆଦାୟ କରାଯାଉଛି | କିନ୍ତୁ ଲୋକଙ୍କ ନିରାପତ୍ତା ପ୍ରତି ଦିଆଯାଉନାହିଁ ଧ୍ୟାନ | ତେବେ ଏହାର ତଦନ୍ତ କରାଯାଇ ବିଦ୍ୟୁତ ବିଭାଗର ଏକଜୁକେଟିଭ ଇଞ୍ଜିନିଅରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୃତକଙ୍କ ପରିବାର ପକ୍ଷରୁ ଦାବି ହୋଇଛି |
ସୂଚନା ଯୋଗ୍ୟ ଯେ, ମୃତ ମଳୟ ସ୍ୱାଇଁ ଜଣେ ଦିନମଜୁରିଆ | ଆଜି ସକାଳ ୧୧ ଟା ସମୟରେ ସେ ନିକିରାଇ ଥାନା ଅନ୍ତର୍ଗତ ନୀଳିକଣା ଗ୍ରାମର ଟୁକୁନା ପ୍ରଧାନଙ୍କ ଘର କାମ କରୁଥିଲେ | ତେବେ ଘର ଉପରେ ଯାଇଥିବା 11 କେଭି ତାର ସଂସ୍ପସରେ ଆସି ହଠାତ ଦୁଇ ମହଲା ଉପରୁ ତଳେ ପଡିଯାଇଥିଲେ | ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲାବେଳେ, ତାଙ୍କର ମୃତ୍ୟୁ ହୋଇଥିଲା | ସେହିଭଳି ମହାକାଳପଡ଼ା ଥାନା ଅନ୍ତର୍ଗତ କଲାପଡ଼ ଗ୍ରାମର ଖଗେଶ୍ୱର ମଲ୍ଲିକ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି |