ବହୁ ବାଦ ବିବାଦ ପରେ ପାକିସ୍ତାନରେ ଆଜିଠୁ ଆରମ୍ଭ ହେଲା ଶାହବାଜ୍ଙ୍କ ଯୁଗ | ବିରୋଧୀ ଦଳ ନେତା ଶାହବାଜ୍ ସରିଫ୍ ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ | ପାକିସ୍ତାନ ସଂସଦ ଶାହବାଜଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛି। ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଶାହବାଜ ଆଜି ରାତି ପ୍ରାୟ 8 ଟାରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶାହାବାଜ ପାକିସ୍ତାନର 23 ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ଅନ୍ୟପକ୍ଷରେ ଇମ୍ରାନ୍ ଖାନ୍ଙ୍କ ଦଳ ପାକିସ୍ତାନ୍ ତେହେରିକ-ଇ-ଇନସାଫ୍(ପିଟିଆଇ) ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଶାହ ମମ୍ମୋଦ୍ କୁରେଶିଙ୍କ ନାମ ଚୟନ କରାଯାଇଥିଲା। ହେଲେ ଇମ୍ରାନ୍ଙ୍କ ଦଳ ପିଟିଆଇର ଅଧିକାଂଶ ସଦସ୍ୟ ପାକିସ୍ତାନ ସଂସଦରୁ ଇସ୍ତଫା ଦେଇଥିଲେ। ଇମ୍ରାନ ଖାନଙ୍କ ଦଳ ନିର୍ବାଚନକୁ ବର୍ଜନ କରିଥିଲେ | ଶାହବାଜ୍ ଙ୍କ ସପକ୍ଷରେ 174 ଭୋଟ୍ ପଡିଥିଲା । ସ୍ପିକର ଆୟାଜ ସାଦିକ ପ୍ରଧାନମନ୍ତ୍ରୀ ଭାବେ ଶାହବାଜ ସରିଫଙ୍କ ନାମ ଘୋଷଣା କରିଛନ୍ତି।
ଶାହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ। ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଶାହବାଜ ଗୃହକୁ ସମ୍ବୋଧିତ କରିଥିଲେ। ଏଥିରେ ସେ କହିଛନ୍ତି ଯେ ପାକିସ୍ତାନରେ ପ୍ରଥମ ଥର ପାଇଁ ଅନାସ୍ଥା ପ୍ରାସ୍ତାବ ଯୋଗୁ ନିର୍ବାଚନ ହେଲା | ଏବଂ ପ୍ରଧାନମନ୍ତ୍ରୀଙ୍କୁ ଗାଡି ଛାଡିବାକୁ ପଡିଲା |