ଭୁବନେଶ୍ୱର : ଆଜି ଜେଇଇ ମେନ୍ ପରୀକ୍ଷା। ଚଳିତ ବର୍ଷ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ୍ ପରୀକ୍ଷା ଏବର୍ଷ ଠାରୁ ୪ ଥର ହେବ । ଛାତ୍ରଛାତ୍ରୀ ଚାହିଁଲେ ୪ ଥର ପରୀକ୍ଷା ଦେଇପାରିବେ। ଦେଶର ୩୩୧ଟି ସହରରେ ହେବାକୁ ଥିବା ପରୀକ୍ଷା ୨୬ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ପରୀକ୍ଷା ହେବ। ତେବେ କେବଳ ଫେବ୍ରୁଆରୀରେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ। ଦୁଇଟି ସିଫ୍ଟରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ସିଫ୍ଟ ୯ଟାରୁ ୧୨ ଏବଂ ଦ୍ୱିତୀୟ ସିଫ୍ଟ ୩ଟାରୁ ୬ଟା ରହିଛି। ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। କରୋନା ଲାଗି ଚଳିତବର୍ଷ ୪ଟି ସେକ୍ସନ୍ ରେ ପରୀକ୍ଷା ହେଉଛି। ଏନ୍ ଟିଏ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରୀରେ ହେବାକୁ ଥିବା ପରୀକ୍ଷା ଲାଗି ୬ ଲକ୍ଷ ୬୧ ହଜାର ୭୬୧ ଜଣ ନାମ ଆବେଦନ କରିଛନ୍ତି। ସେହିପରି ମାର୍ଚ୍ଚ ସେକ୍ସନ ଲାଗି ୫ ଲକ୍ଷ ୪ହଜାର ୫୪୦, ଏପ୍ରିଲ ସେକ୍ସନ ପାଇଁ ୪ ଲକ୍ଷ ୯୮ ହଜାର ୯୧୦ ଓ ମେ’ ସେକ୍ସନରେ ପରୀକ୍ଷା ଦେବା ଲାଗି ୫ ଲକ୍ଷ ୯ ହଜାର ୯୭୨ ଜଣ ଆବେଦନ କରିଛନ୍ତି। ଚଳିତବର୍ଷ ଠାରୁ ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ। କୋଭିଡ୍ ସଂକ୍ରମଣ ପାଇଁ ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ସକାଳ ୯ଟାରୁ ୧୨ଟା ପ୍ରଥମ ସିଟିଂ ଓ ଅପରାହ୍ଣ ୩ଟାରୁ ୬ଟା ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ପରୀକ୍ଷାର୍ଥୀମାନେ ସେମାନଙ୍କ ସହିତ ୫୦ ମିଲି ସାନିଟାଇଜର୍ ବୋତଲ ନେବା ଜରୁରୀ । ସଂକ୍ରମଣକୁ ରୋକିବା ପାଇଁ ପ୍ରାର୍ଥୀ ସବୁବେଳେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ନିୟମ ନିଶ୍ଚିତ ଭାବେ ପାଳନ କରିବେ ବୋଲି ଏନଟିଏ ନିର୍ଦ୍ଦେଶ ଦେଇଛି । ସେହିପରି ଗେଟ୍ ନିକଟରେ ଥର୍ମାଲ ସ୍କାନିଂ କରାଯିବ।