ପୁଣି ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର | ବାଇକ୍ରେ ବୁହା ହେଲା ମୃତଦେହ । ଅର୍ଥ ଅଭାବରୁ ମହା ପ୍ରୟାଣ ଗାଡି ବଦଳରେ ବାଇକରେ ବୋହିକି ଆଣିଲେ ଶବ | ଗରିବ ଲୋକ କେଉଁଠି ଖଟିଆରେ ଶବକୁ ବୋହିକି ଆଣୁଛନ୍ତି ତ , ଆଉ କେଉଁଠି ସାଇକେଲରେ ଘୋଷାରି ଘୋଷାରି ଆଣୁଛନ୍ତି | କଳାହାଣ୍ଡି ଦାନ ମାଝି ଘଟଣା ମାନସପଟରୁ ଉଭେଇ ନଥିବାବେଳେ ମାଲକାନଗିର ଜିଲ୍ଲାରେ ପୁଣି ଆଜି ଦେଖିବାକୁ ମିଳିଛି ଏଭଳି କରୁଣ ଦୃଶ୍ୟ | ଏହି ଘଟଣାକୁ ନେଇ ମାଲକାନିଗିରି ସିଡିଏମଓ ମେଡିକାଲର ନର୍ସିଂ ୱାର୍ଡ ଇନଚାର୍ଜଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । କେଉଁ ପରିସ୍ଥିତି ଏଭଳି ଘଟଣା ଘଟିଲା ତା ଉପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସଦର ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର ତୋଙ୍ଗଗୁଡା ଗ୍ରାମର ଇର୍ମା ମାଢିଙ୍କ ୪ ବର୍ଷର ଝିଅ ରଶ୍ମିତାଙ୍କ ଦେହ ଖରାପ ଥିଲା | ତେଣୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସରକାରଙ୍କ ନିୟମ ଅନୁଯାୟୀ ଶବକୁ ମହା ପ୍ରଣାୟଣ ଗାଡିରେ ଘରକୁ ପଠାଯିବାର ନିୟମ ରହିଛି | ହେଲେ ଏଥିପାଇଁ କିଲୋମିଟର ପିଚ୍ଛା ୧୩ ଟଙ୍କା ହିସାବରେ ଟଙ୍କା ପୈଠ କରିବାକୁ ପଡେ । ଶବ ବାହକ ଗାଡିର ଭଡା ପାଞ୍ଚ ଶହ ହୋଇଥିବା ବେଳେ ଉକ୍ତ ଟଙ୍କା ଦେବାକୁ ମଧ୍ୟ ପରିବାର ଲୋକେ ଅସମର୍ଥ | ଫଳରେ ଇର୍ମା ମାଢି ତାଙ୍କ ଝିଅର ମୃତଦେହକୁ ବାଇକ ଯୋଗେ ଦୀର୍ଘ ୧୫ କିଲୋମିଟର ରାସ୍ତା ବୋହି ନେବା ଚର୍ଚ୍ଚାର ବିଷୟ ପାଲଟିଛି |
ତେବେ ଏହି ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ ନନ୍ଦ କହିଛନ୍ତି ଯେ, ଶବ ବାହକ ଗାଡି ବଦଳରେ ବାଇକ ଯୋଗେ ମୃତଦେହ ନେବା ଲାଗି ପରିବାର ଲୋକେ କହିଥିଲେ । ଏମିତିକି ମେଡିକାଲ ଅଧିକାରୀ ଏଥିପାଇଁ ରାଜି ନ ହେବାରୁ ଶେଷରେ ଖାତାରେ ହସ୍ତାକ୍ଷର କରି ପରିବାର ଲୋକେ ମୃତଦେହ ନେଇଥିବା ସେ କହିଛନ୍ତି ।