ପାରାଦ୍ୱୀପ ପୌର ପରିଷଦରେ ପୌର ଉପାଧ୍ୟକ୍ଷ ଆସନ ହାତେଇଛି ବାପି ସର୍କେଲଙ୍କ ନୂଆ ଦଳ “ଆମ ପାରାଦ୍ୱୀପ ଆମ ପ୍ରଗତୀ ” | ଦଳର ଛବିଲତା ରାଉତ ହୋଇଛନ୍ତି ପୌର ଉପାଧ୍ୟକ୍ଷା | ତେବେ ସହରର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏବେ ଆକ୍ସନ ମୋଡରେ ଦଳ | ଆଗକୁ ବର୍ଷା ଦିନ ଆସୁଥିବାରୁ କିପରି ବସ୍ତିବାସିନ୍ଦାଙ୍କୁ ଜଳମଗ୍ନରୁ ରକ୍ଷା କରାଯିବ ଓ ବସ୍ତିରେ ଜମି ରହୁଥିବା ଜଳ ନିଷ୍କାସନ ହେଇପାରିବ ସେ ନେଇ ପଦକ୍ଷେପ ନେଇଛନ୍ତି | ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପୌର ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଛି ଦଳ |
ପାରାଦ୍ୱୀପ ପୌର ପରିଷଦରେ ବିଭିନ୍ନ ଛୋଟ ବଡ଼ ସମସ୍ୟା ଲାଗି ରହିଛି | ଆଗକୁ ବର୍ଷା ଦିନରେ କିପରି ସହରକୁ ଜଳମଗ୍ନରୁ ରକ୍ଷା କରାଯିବ ସେଥିପାଇଁ ଆଜି ‘ଆମ ପାରାଦ୍ୱୀପ ଆମ ପ୍ରଗତୀ’ ଦଳର ପ୍ରତିଷ୍ଠାତା ବାପି ସର୍କେଲ, ପୌର ଉପାଧ୍ୟକ୍ଷା ଛବିଲତା ରାଉତ ଓ ବିଭିନ୍ନ ୱାର୍ଡର କାଉନସିଲରମାନେ ସହର ବୁଲି ଦେଖିଥିଲେ | ସେମାନେ ସକାଳୁ ଷଣ୍ଢକୁଦ ନୋଳିଆ ସାହିର ୧୭, ୧୮, ୧୯ ନମ୍ବର ୱାର୍ଡ ବୁଲି ଦେଖିଲା ପରେ ବାଲିଝରା, ବାଉରୀଆପାଳନ୍ଦାର ୫ ଓ ୩ ନମ୍ବର ୱାର୍ଡ ମଧ୍ୟ ବୁଲି ଦେଖିଥିଲେ | ଷଣ୍ଢକୁଦଠାରେ ଏନଆରଏମ କମ୍ପାନୀ ସମୁଦ୍ରରୁ ବାଲି ଖୋଳି କମ୍ପାନୀ ପଛପଟେ ପୋତିବା ଦ୍ୱାରା ବର୍ଷା ଦିନେ ବସ୍ତିର ଜଳ ନିଷ୍କାସନ ସମସ୍ୟା ଉପୁଜିବାର ଆଶଙ୍କା ଦେଖାଦେଇଛି | ତେଣୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ ପାଇଁ ପୌର ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରାଯାଇଛି | ସେହିପରି ବାଲିଝରା ଓ ବାଉରୀଆପାଳନ୍ଦାଠାରେ ଜନବସତି ବସ୍ତିରେ ଦୀର୍ଘ ଦିନ ଧରି ଜଳ ନିଷ୍କାସନ ପାଇଁ ଥିବା ନାଳ ପୋତି ହୋଇଗଲାଣି | ତେଣୁ ନାଳଗୁଡିକ ସଫା ରଖିବା ସହ ବାଲିଝରା କେନାଲକୁ ଖୋଳି ଗଭୀର କଲେ ଏହାର ସ୍ଥାୟୀ ସମାଧାନ ହେଇପାଇବ ବୋଲି ପୌର ଅଧ୍ୟକ୍ଷଙ୍କ ଦୃଷ୍ଟିଗୋଚର କରିଥିଲେ |
ସୂଚନା ଥାଉ କି, ପାରାଦ୍ୱୀପରେ ୧୯ ଟି ସିଟରୁ ‘ଆମ ପାରାଦ୍ୱୀପ ଆମ ପ୍ରଗତୀ’ ଦଳ ଏକାକୀ ୮ଟି ସିଟ ହାତେଇଥିଲା | ତେବେ ଏହି ଦଳର ନାରା ଥିଲା ‘ଜିତିଲେ ଶୋଇବୁନି କି ହାରିଲେ ଶୁଆଇଦେବୁନି’ | ଯାହାର ଝଲକ ଏବେ ପୁରା ଆକ୍ସନ ମୋଡ଼ରେ ଆଜି ଦେଖିବାକୁ ମିଳିଛି ବୋଲି ସହରରେ ଆଲୋଚନା ହେଉଛି |