ଓଡିଶା -ଛତିଶଗଡ ସୀମାନ୍ତରେ ଦେଖାଦେଇଛି ମହାବଳ ବାଘ ଆତଙ୍କ | ମାଲକାନଗିର ଜିଲ୍ଲା ପଡ଼ିଆ ବ୍ଲକ ନିଲିଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦେଖାଦେଇଛି ବାଘ ଆତଙ୍କ l କିଛି ଦିନ ପୂର୍ବେ ଗ୍ରାମବାସୀ ଜଙ୍ଗଲରେ ବାଘ ପାଦ ଚିହ୍ନ ଠାବ କରିଥିବା କହିଛନ୍ତି | ୨ ଦିନ ପୂର୍ବରୁ କେତେଜଣ ଲୋକ ବାଘ ଦେଖିଥିବା ଓ ବାଘ ଗର୍ଜନ ଶୁଣିଥିବା ମଧ୍ୟ କହିଛନ୍ତି l ଅନ୍ୟପକ୍ଷରେ ଏକ ବାଘ ସଡକ ପାର ହେଉଥିବା ଭିଡିଓ ଭାଇରାଲ ହୋଇଥିଲା | ତେଣୁ ଉକ୍ତ ଜଙ୍ଗଲରେ ଗତ କିଛିଦିନ ହେଲା ଏକ ମହାବଳ ବାଘ ଥିବା ଚର୍ଚ୍ଚା ଜୋର ଧରିଛି | ବାଘ ଆତଙ୍କ ଯୋଗୁ ଜଙ୍ଗଲ ନିକଟସ୍ଥ ଗ୍ରାମଗୁଡିକରେ ସଞ୍ଜ ନ ହେଉଣୁ ତାଟି କବାଟ ପଡିଯାଉଛି |
ପଡ଼ିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ନିଲିଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ କେଉଁଆଡ଼ୁ ଚାଲି ଆସି ଏକ ମହାବଳ ବାଘ ରହିଥିବା ଶୁଣିବାକୁ ମିଳୁଛି | ଗ୍ରାମବାସୀଙ୍କ କହିବା ଅନୁଯାୟୀ, କିଛି ଲୋକଙ୍କ ଗାଈ ଓ ୨ଟି ବାଛୁରି ମଧ୍ୟ ବାଘ ଦ୍ବାରା ଶିକାର ହୋଇଗଲେଣି l ଫଳରେ ଲୋକମାନେ ଜଙ୍ଗଲକୁ ମହୁଲ ଗୋଟେଇବାକୁ ଯିବାକୁ ଭୟ କରୁଛନ୍ତି | ବାଘ ଆତଙ୍କ ଯୋଗୁ ସନ୍ଧ୍ୟା ହେଲେ କେହି ପଦାକୁ ବାହାରୁ ନାହାନ୍ତି | ଜଙ୍ଗଲରେ ବାଘ ଥିବା ନେଇ ଗ୍ରାମବାସୀ ବନ ବିଭାଗକୁ ଅବଗତ କରିଛନ୍ତି | ବନ ବିଭାଗ ଅଧିକାରୀ ଜଙ୍ଗଲକୁ ଯାଇ ତଦନ୍ତ କରିବା ବେଳେ ବାଘର ପାଦ ଚିହ୍ନ ଓ ଗାଈକୁ ଘୋଷାରି ଘୋଷାରି ନେଇଥିବା ଚିହ୍ନ ମଧ୍ୟ ଠାବ କରିଥିଲେ l ବାଘ ବାବଦରେ ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି l