ଆନ୍ଧ୍ରପ୍ରଦେଶରୁ ମାଲାକାନଗିରି ଜିଲ୍ଲାକୁ ଅଭିନବ ଉପାୟରେ ଚାଲିଛି କଇଁଛ ଚୋରା ଚାଲାଣ | ଅଣ୍ଡା ଭର୍ତ୍ତି ଟାଟା ମ୍ୟାଜିକ୍ ଗାଡ଼ିରେ ବେଆଇନ୍ କଇଁଛ ଚାଲାଣ ହେଉଥିବା ବେଳେ ଏମଭି-୭୯ ବନ ବିଭାଗ ପକ୍ଷରୁ ଚଢାଉ କରି ଗାଡି ଓ କଇଁଛକୁ ଜବତ କରାଯାଇଛି l
ସୂଚନା ଅନୁଯାୟୀ ମୋଟୁ ଫରେଷ୍ଟ ରେଞ୍ଜ ର ଏମଭି-୭୯ ବନ ବିଭାଗ ଅଧୀନସ୍ଥ ଲୁଗେଲ ପଞ୍ଚାୟତ ଅନ୍ତର୍ଗତ ଏମପିଭି ୫୩ ଗାଁ ଜଙ୍ଗଲ ମଧ୍ୟରେ ଚୋରା କଇଁଛ କାରବାର ଚାଲିଥିବା ନେଇ ବନ ବିଭାଗ ଖବର ପାଇଥିଲା | ଏହା ପରେ ଏମଭି-୭୯ ରେଞ୍ଜର ରଶ୍ମି ରଞ୍ଜନ ସ୍ଵାଇଁଙ୍କ ନେତୃତ୍ୱରେ ଫରେଷ୍ଟର ଶିବଜିତ ମଣ୍ଡଳ, ବଳରାମ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉକ୍ତ ସ୍ଥାନରେ ଚଡାଉ କରିଥିଲେ l ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଞ୍ଚିବା ପରେ ସେଠାରେ ଏକ ଟାଟା ମ୍ୟାଜିକ ଗାଡି ଛିଡା ହୋଇଥିବା ଦେଖି ଗାଡିକୁ ଯାଞ୍ଚ କରିଥିଲେ l ଉକ୍ତ ଟାଟା ମ୍ୟାଜିକ୍ ଗାଡି ଉପରେ ଅଣ୍ଡା ଭର୍ତ୍ତି ଟ୍ରେ ରହିଥିବା ବେଳେ ଅଣ୍ଡା ତଳକୁ କଇଁଛ ରହିଥିବା ଦେଖିବାକୁ ପାଇଥିଲେ l ପରେ ଉକ୍ତ ଗାଡି ସମେତ କଇଁଛ ଗୁଡିକ ଜବତ କରାଯାଇଥିବା ଜଣା ପଡିଛି l ଗାଡି ଭିତରୁ ମୋଟ ୧୩୯ ଟି କଇଁଛ ବାହାରିଥିବା ବେଳେ ସେଥିରୁ ୫ ଟି କଇଁଛ ମରିଯାଇଥିବା ସୂଚନା ମିଳିଛି l ତେବେ ଏହି କଇଁଛ ଚାଲାଣ ଅଭିଯୋଗରେ ଗାଡିର ଡ୍ରାଇଭର ଉଦୟ ଗୁହା ନାମକ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି l ତଦନ୍ତ ସମୟରେ ଚନ୍ଦ୍ର ଶେଖର ରେଡ୍ଡୀ ନାମକ ଜଣେ ବ୍ୟକ୍ତିଙ୍କ ଏହି କଇଁଛ ବୋଲି ଜଣା ପଡିଛି l ଜବତ କଇଁଛ ଗୁଡିକ ସତୀଗୁଡ଼ା ଡ୍ୟାମରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଏହି ଚଡାଉ ସମୟରେ ଫରେଷ୍ଟ ଗାର୍ଡ ସୁମିତ୍ କୁମାର ବିଶ୍ୱାସ, ପାରା ଷ୍ଟାଫ ତରୁଣ ମଣ୍ଡଳ, ପର୍ଶୁରାମ ଖରା, ନିପୁଲ ଭକ୍ତ, ଟୁକୁନା ଚନ୍ଦ୍ର ବରାଡ଼ ପ୍ରମୁଖ ସାମିଲ ହୋଇଥିଲେ l