ଭକ୍ତଙ୍କ ଗହଣରେ ଗଡ଼ିଲା ରୁକୁଣା ରଥ | ଦୀର୍ଘ ୨ ବର୍ଷ ପରେ ମହାଆନନ୍ଦରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରଥକୁ ଟାଣୁଛନ୍ତି ଭକ୍ତଗଣ । ପବିତ୍ର ଆଶୋକାଷ୍ଟମୀର ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଆରମ୍ଭ ହୋଇଛି ରଥଟଣା । ଏକାମ୍ରକ୍ଷେତ୍ରରୁ ମାଉସୀ ମା ମନ୍ଦିର ବାହାରିଛନ୍ତି ବାବା ଲିଙ୍ଗରାଜ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ ହୋଇଛନ୍ତି ।
୫ଦିନ ଧରି ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ଅନୁଷ୍ଠିତ ହେବ ବାହୁଡ଼ା । କରୋନା କଟକଣା ପାଇଁ ୨୦୨୦ ମସିହାରେ ଶେଷ ମୁହୂର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ । ୨୦୨୧ରେ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା ।ରଥ ଟଣା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୯୦ ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।
ଗତକାଲି ମରିଚିକୁଣ୍ଡ ଜଳରେ ରଥ ପ୍ରତିଷ୍ଠା ହୋଇଥିଲା । ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡ ପାଣି ମୋଟ ୧ ଲକ୍ଷ ୭୭ ହଜାର ଟଙ୍କାରେ ନିଲାମ ହୋଇଛି। ପ୍ରଥମ ଘଡ଼ା ୧ ଲକ୍ଷ ୩୦ ହଜାର ଟଙ୍କା ଓ ଦ୍ୱିତୀୟ ଘଡ଼ା ୪୭ ହଜାର ଟଙ୍କାରେ ନିଲାମ ହୋଇଛି। ବଡୁ ନିଯୋଗ ପକ୍ଷରୁ ନିଲାମ ଡକାଯାଇଥିଲା।