ପ୍ରେମ ଶାଶ୍ୱତ , ପ୍ରେମ ଚିରନ୍ତନ | ପ୍ରେମ ଦୁଇଟି ଆତ୍ମାର ମିଳନ | ତେବେ ଅନେକ ସମୟରେ ସମସ୍ତଙ୍କ ପ୍ରେମ ହୋଇପାରେନି ସଫଳ | କେଉଁଠି ପରିବାର ଲୋକ ବାଧା ଦିଅନ୍ତି ତ ଆଉ କେଉଁଠି ପ୍ରେମିକ କି ପ୍ରେମିକା ପ୍ରତାରଣା କରୁଥିବା ଦେଖିବାକୁ ମିଳେ | ଫଳରେ ଭାଙ୍ଗିଯାଏ ସାତଜନ୍ମର ସାଥୀ ହେବା ପାଇଁ କରିଥିବା ପ୍ରତିଶୃତି | ଅନେକ ସମୟରେ ପ୍ରେମୀଯୁଗଳ ଆତ୍ମହତ୍ୟାର ପନ୍ଥା ଆପଣାଇ ନେଉଥିବା ମଧ୍ୟ ଆପଣ ଦେଖିଥିବେ | କିନ୍ତୁ ବିହାରର ଔରଙ୍ଗାବାଡରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି | ଜଣେ ପ୍ରେମିକ ବିବାହ ପାଇଁ ମନା କରିଦେବାରୁ ଏକା ସାଙ୍ଗରେ ୬ ଜଣ ଯୁବତୀ ପିଇ ଦେଇଛନ୍ତି ବିଷ | ତେବେ ସେମାନଙ୍କ ମଧ୍ୟରୁ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ ଜଣ ହସପିଟାଲରେ ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ | ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କସମା ପୋଲିସ ଷ୍ଟେସନ ଅଞ୍ଚଳର ଚିରାଇଲା ଗାଁରେ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି |
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବିଷ ପିଇ ମୃତ୍ୟୁବରଣ କରିଥିବା ଜଣେ ଯୁବତୀ ତା ଭାଇର ଶଳାକୁ ପ୍ରେମ କରୁଥିଲା | ତେବେ ଯୁବତୀ ଜଣକ ତା ସାଙ୍ଗମାନଙ୍କ ହାତରେ ଭାଇର ଶଳାକୁ ବିବାହ ପ୍ରସ୍ତାବ ଦେଇଥିଲା | କିନ୍ତୁ ଯୁବକ ଜଣକ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କିଛି ସମୟ ପରେ ଦେଖିବାକୁ ମିଳିଲା କି ପ୍ରସ୍ତାବ ଦେଇଥିବା ଝିଅଟି ବିଷ ପିଇ ଦେଇଛି । ଏହାପରେ ଝିଅଟିର ସାଥିମାନେ ଜଣଙ୍କ ପରେ ଜଣେ ବିଷ ପିଇ ଦେଇଥିଲେ । ଖବର ଜାଣିବା ପରେ ଗାଁ ଲୋକେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ୩ ଜଣ ଏବେ ମଗଧ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ।