କୁବେର ସହକାରୀ ଯନ୍ତ୍ରୀଙ୍କ କୋଟି କୋଟି ସମ୍ପତ୍ତି । ଯେତେ ଖୋଳିଲେ ସେତେ ବାହାରୁଛି । ଗିରଫ ହୋଇ ଜେଲ ଯାଇଥିବା ଭଞ୍ଜନଗର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଶାଳୀ ଘରୁ ବାହାରୁଛି ପୁଳାପୁଳା ଟଙ୍କା। ଭିଜିଲାନ୍ସ ଚଢ଼ାଉର ତୃତୀୟ ଦିନରେ ପୁଣି ପାଇଲେ ନଗଦ ୧ କୋଟି ୪୧ଲକ୍ଷ ଟଙ୍କା ।କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ସାଲିଆ ସାହି ସ୍ଥିତ ଘରୁ ଜବତ ହୋଇଛି ଏହି ଟଙ୍କା । ଏହାବ୍ୟତୀତ ସେଠାରୁ ୩୫୪ ଗ୍ରାମର ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ ।ତେବେ ସାଲିଆ ସାହିର ଏକ ଝୁମ୍ପୁଡି ଘରୁ ଏତେ ଟଙ୍କା ବାହରିବା ଦେଖି ଭିଜିଲାନ୍ସ କର୍ମଚାରୀ ବି ହୋଇଛନ୍ତି ଚକିତ। ୩ ଦିନ ଚଢ଼ାଉ ଭିତରେ କାର୍ତ୍ତିକେଶ୍ୱର ରାଉଳଙ୍କ ପାଖରୁ ଭିଜିଲାନ୍ସ ମୋଟ ନଗଦ ୩କୋଟି ୪୧ଲକ୍ଷ ୬୭ ହଜାର ୨୮୦ ଟଙ୍କା ଜବତ କଲାଣି | ଯାହାକି ଭିଜିଲାନ୍ସ ଚଢ଼ାଉରେ ଏକ ରେକର୍ଡ ବୋଲି କୁହାଯାଉଛି | ଏହି ସଂପତ୍ତି ତାଙ୍କ ଆୟଠାରୁ ୭ ଗୁଣ ଅଧିକ ବୋଲି କୁହାଯାଉଛି |
ସୂଚନା ଥାଉକି , ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗତକାଲି ଗିରଫ କରିଥିଲା ଭିଜିଲାନ୍ସ | ଏହା ପୂର୍ବରୁ ତାଙ୍କ ଘରୁ ଭିଜିଲାନ୍ସ ନଗଦ ୨ କୋଟି ଟଙ୍କା ଜବତ କରିଥିଲା | ତାଙ୍କର ଭୁବନେଶ୍ୱରର ଟାଟା ଆରିଅନ ସ୍ଥିତ ଫ୍ଲାଟ୍ରେ ଚଢ଼ାଉ କରାଯାଇଥିଲା । ସହକାରୀ ଯନ୍ତ୍ରୀଙ୍କ ସମ୍ପତି ଦେଖି ଭିଜିଲାନ୍ସ କର୍ମଚାରୀ ତାଯୁବ ହୋଇଯାଇଥିଲେ | ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘରୁ ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲେ। ଭିଜିଲାନ୍ସ ପ୍ରାୟ ୨ କୋଟି ନଗଦ ଟଙ୍କା ଜବତ କରିଥିଲା । ଟଙ୍କା ଗଣିବା ପାଇଁ କାଉଣ୍ଟିଂ ମେସିନ୍ ବ୍ୟବହାର କରିଥିଲେ ଭିଜିଲାନ୍ସ କର୍ମଚାରୀ। ଏଥିସହ ତାଙ୍କର ୭ଟି ପ୍ଲଟ ଜବତ କରାଯାଇଛି | ଖାଲି ଏତିକି ନୁହେଁ ତାଙ୍କ ଘରୁ ୨୦ଟି ସୁନା ବିସ୍କୁଟ ସହ ପ୍ରାୟ ୫୮୦ ଗ୍ରାମର ସୁନା ଜବତ କରାଯାଇଥିଲା ।