ଏଚଆଇଭି କାଫେ | ତେବେ କାଫେର ନାଁ ଆପଣମାନଙ୍କୁ ଅଜବ ଲାଗୁଛି ନା | ଅଜ୍ଞା ହଁ , କୋଲକାତାରେ ଏଭଳି ଏକ କାଫେ ଖୋଲିଛି | ଯେଉଁଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଏଚଆଇଭି ପଜିଟିଭ | ଏଚଆଇଭି ପଜିଟିଭ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏହି କାଫେ ହେଉଛି ଏସିଆର ପ୍ରଥମ କାଫେ |
ସାଧାରଣତଃ ଏଚଆଇଭି ପଜିଟିଭ ଲୋକଙ୍କୁ କେହି ଚାକିରୀ ଦିଅନ୍ତି ନାହିଁ | ତେଣୁ ଏଚ୍.ଆଇଭି ପଜିଟିଭ୍ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାଫେ ଖୋଲାଯାଇଥିବା କାଫେର ମାଲିକ କଲୋଲ ଘୋଷ କହିଛନ୍ତି | ରିପୋର୍ଟ ଅନୁଯାୟୀ କାଫେର ନାମ ‘କାଫେ ପଜିଟିଭ୍’ । ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏଚ୍.ଆଇଭି ପଜିଟିଭ୍ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା | ତେବେ ଏହି କାଫେ ଆନନ୍ଦଘର ଏନଜିଓ ଦ୍ୱାରା ପରିଚାଳିତ ହେଉଛି | ଏହି ଏନଜିଓ ଭିନ୍ନକ୍ଷମ ପିଲା ଏବଂ ଏଚ୍.ଆଇ.ଭି ପଜିଟିଭ୍ ଲୋକଙ୍କ ପାଇଁ କାମ କରେ | ଏହାକୁ ନେଇ କଲୋଲ ଘୋଷ କହିଛନ୍ତି ଯେ ଫ୍ରାଙ୍କଫର୍ଟର ଏକ କାଫେ ଦ୍ୱାରା ସେ ଅନୁପ୍ରାଣିତ ହୋଇଥିଲେ। ଯାହା ସମ୍ପୁର୍ଣ୍ଣ ଭାବରେ ଏଚ୍.ଆଇ.ଭି ପଜିଟିଭ୍ ଦ୍ୱାରା ପରିଚାଳିତ ହେଉଥିଲା।