ପୁଣି ବିବାଦ ଘେରରେ ତଥା କଥିତ ବାବା ଆଶାରାମ ବାପୁ | ତାଙ୍କ ଆଶ୍ରମରୁ ମିଳିଲା ଜଣେ ଯୁବତୀଙ୍କ ଶବ | ଉତ୍ତରପ୍ରଦେଶର ଗୋଣ୍ଡାସ୍ଥିତ ଆଶାରାମ ବାପୁଙ୍କ ଆଶ୍ରମରେ ଥିବା ଏକ କାରରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି | ତେବେ ଏହି ଘଟଣା ପ୍ରଚାର ହେବା ପରେ ଲୋକଙ୍କ ଭିଡ ଜମିଥିଲା | ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ଘଟଣାର ଯାଞ୍ଚ ଆରମ୍ଭ କରିଛି । ତେବେ ଯୁବତୀଙ୍କ ବୟସ ପ୍ରାୟ ୧୫-୧୭ ବର୍ଷ ହେବ ବୋଲି କୁହାଯାଉଛି |
କୁହାଯାଉଛି, ଯୁବତୀ ଜଣକ ଗତ ୫ ତାରିଖରେ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ । ତେବେ ଆଜି ସକାଳୁ ଆଶ୍ରମ ପରିସରରେ ଦୀର୍ଘ ଦିନ ଧରି ପାର୍କିଂ ହୋଇଥିବା କାରରୁ ଜୋରରେ ଦୁର୍ଗନ୍ଧ ଆସିଥିଲା | ଆଶ୍ରମ କର୍ମଚାରୀ ଗାଡି ଖୋଲିବାରୁ ଗାଡି ଭିତରେ ଜଣେ ଯୁବତୀଙ୍କ ଶବ ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି | ପୋଲିସ ଗାଡିଟିକୁ ସିଜ କରିବା ସହ ସମ୍ପୂର୍ଣ୍ଣ ଆଶ୍ରମକୁ ସିଲ କରିଦେଇଛି ।
କହିରଖୁ କି, ଆଶାରାମ ବାପୁଙ୍କ ଆଶ୍ରମରୁ ଶବ ମିଳିବା ଏହା ପ୍ରଥମ ଘଟଣା ନୁହେଁ | ୨୦୦୮ ରେ ଗୁଜୁରାଟ ଆଶ୍ରମରୁ ୨ ଟି ଶବ ମିଳିଥିବା ବେଳେ ମଧ୍ୟପ୍ରଦେଶ ଗୁରୁକୁଳ ଆଶ୍ରମରେ ସନ୍ଦେହଜନକ ଭାବେ ଜଣେ ଶିଶୁଙ୍କ ମୃତଦେହ ମିଳିଥିଲା | ତେବେ ବାବା ବେଶରେ ଆଶାରାମ ଓ ତାଙ୍କ ପୁଅ ଆଶ୍ରମ ଖୋଲି ବିଭିନ୍ନ ଅନୈତିକ କାର୍ଯ୍ୟ ଚଳାଉଥିଲେ । ଏହାର କିଛି ପ୍ରମାଣ ପୋଲିସ ହାତରେ ଲାଗିବା ପରେ ବାପୁ ଆଶାରାମ ଓ ତାଙ୍କ ପୁଅ ନାରାୟଣ ସାଇଙ୍କୁ ଗିରଫ କରିଥିଲା । ଏହି ମାମଲାର ବିଚାର ହୋଇ ଉଭୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇସାରିଛନ୍ତି ।