ଗିରଫ ହେଲେ କୁବେର ସହକାରୀ ଯନ୍ତ୍ରୀ | କୁବେର ଯନ୍ତ୍ରୀଙ୍କ ଘରୁ ଭିଜିଲାନ୍ସ ଜବତ କରିଛି ନଗଦ ୨ କୋଟି ଟଙ୍କା | ଯାହାକି ଭିଜିଲାନ୍ସ ଚଢ଼ାଉରେ ଏକ ରେକର୍ଡ ବୋଲି କୁହାଯାଉଛି | ଆୟ ବହିର୍ଭୁତ ସମ୍ପତି ଠୁଳ ଅବିଯୋଗରେ ତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ | ଗିରଫ ସରକାରୀ ବାବୁ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ |
ଭିଜିଲାନ୍ସ ପକ୍ଷରୁ ଗତକାଲି ତାଙ୍କର ଭୁବନେଶ୍ୱରର ଟାଟା ଆରିଅନ ସ୍ଥିତ ଫ୍ଲାଟ୍ରେ ଚଢ଼ାଉ କରାଯାଇଥିଲା । ସହକାରୀ ଯନ୍ତ୍ରୀଙ୍କ ସମ୍ପତି ଦେଖି ଭିଜିଲାନ୍ସ କର୍ମଚାରୀ ତାଯୁବ ହୋଇଯାଇଥିଲେ | ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘରୁ ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲେ। ଭିଜିଲାନ୍ସ ପ୍ରାୟ ୨ କୋଟି ନଗଦ ଟଙ୍କା ଜବତ କରିଥିଲା । ଟଙ୍କା ଗଣିବା ପାଇଁ କାଉଣ୍ଟିଂ ମେସିନ୍ ବ୍ୟବହାର କରିଥିଲେ ଭିଜିଲାନ୍ସ କର୍ମଚାରୀ। ଏଥିସହ ତାଙ୍କର ୭ଟି ପ୍ଲଟ ଜବତ କରାଯାଇଛି | ଖାଲି ଏତିକି ନୁହେଁ ତାଙ୍କ ଘରୁ ୨୦ଟି ସୁନା ବିସ୍କୁଟ ସହ ପ୍ରାୟ ୫୮୦ ଗ୍ରାମର ସୁନା ଜବତ କରାଯାଇଛି ।
ସୂଚନାଯୋଗ୍ୟ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ରେଡ୍ କରିଥିଲା ଭିଜିଲାନ୍ସ । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏଥିରେ ୫ ଜଣ ଡିଏସପି, ୧୧ ଇନସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଥିଲେ । ୨ ଦିନ ଧରି ଜାରି ରହିଥିବା ରେଡ୍ ବେଳେ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ ।