ପିତା ମାତାଙ୍କ ପାଇଁ ପୁଅ ଝିଅ ସମାନ | କିନ୍ତୁ ଏବେ ବି ଅନେକ ପରିବାର ଚାହାନ୍ତି ପୁଅଟିଏ | ତାଙ୍କ ମତରେ ପୁଅ ବଂଶ ରକ୍ଷା କରିବ | କିନ୍ତୁ ଝିଅକୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ | ବିଶ୍ୱାସ କରାଯାଏ ଝିଅ ଜନ୍ମ ହେଲେ ମା ଲକ୍ଷ୍ମୀ ଆସନ୍ତି ଘରକୁ | ମହାରାଷ୍ଟ୍ରର ପୁନେର ଏକ ପରିବାର ନିଆରା ଢଙ୍ଗରେ ନବଜାତ ଶିଶୁକନ୍ୟାକୁ କରିଛନ୍ତି ସ୍ୱାଗତ | ଝିଅକୁ ହସପିଟାଲରୁ ଘରକୁ ଆଣିବାକୁ ଲକ୍ଷେ ଟଙ୍କା ଦେଇ ବୁକ କରିଥିଲେ ହେଲିକପ୍ଟର | ହେଲିକପ୍ଟର ଯୋଗେ ଘରକୁ ଆସିଛି ଶିଶୁକନ୍ୟା |
ପୁନେ ଶେଲଗାଓଁର ବିଶାଲ ଝରକର କହିଛନ୍ତି ଯେ, ଆମ ପରିବାରରେ କେବେଠୁ ଝିଅ ନାହାଁନ୍ତି। ଆମର ଗତ କିଛି ଦିନ ତଳେ ଝିଅଟିଏ ଜନ୍ମ ହୋଇଛି | ଝିଅ ଜନ୍ମ ପାଇଁ ଆମ ପରିବାର ବହୁତ ଖୁସି | ତେଣୁ ଆମେ ଆମ ଝିଅର ଗୃହ ପ୍ରବେଶକୁ ସ୍ୱତନ୍ତ୍ର କରିବାକୁ ସ୍ଥିର କଲୁ | ଆମେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରି ଝିଅକୁ ଘରକୁ ଆଣିବା ପାଇଁ ହେଲିକପ୍ଟର ବ୍ୟବସ୍ଥା କରିଥିଲୁ | ସେ କହିଛନ୍ତି ଯେ ଆମ ଘରକୁ ଲକ୍ଷ୍ମୀ ଆସିଥିବାରୁ ଆମେ ବହୁତ ଖୁସି। ବିଶାଲ ଜାରେକର କହିଛନ୍ତି ଯେ ମୁଁ ସମାଜକୁ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଯେ, ଏକ ନବଜାତ ଶିଶୁକନ୍ୟାର ଜନ୍ମ ଏକ ପର୍ବ ପରି ପାଳନ କରାଯିବା ଉଚିତ୍।